ନୂଆଦିଲ୍ଲୀ: ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ଇରାନର ମିସାଇଲ ମାଡ ଜାରି ରହିଛି । ପ୍ରଥମେ ଶୁକ୍ରବାର ରାତିରେ ଇରାନ ଜୋରଦାର ହମଲା କରି ଇସ୍ରାଏଲ ସେନାର ମୁଖ୍ୟାଳୟ ପର୍ଯ୍ୟନ୍ତ କ୍ଷତି କରିଛି । ପୁଣି ରବିବାର କରିଥିବା କ୍ଷେପଣାସ୍ତ୍ର ମାଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ବିଗତ ଅନେକ ଦଶନ୍ଧି ପରେ ପ୍ରଥମ ଥର କୌଣସି ଦେଶର ହମଲାରେ ଇସ୍ରାଏଲର ରାଜଧାନୀରେ ଧ୍ୱଂସଲୀଳା ଦେଖିବାକୁ ମିଳିଛି । ଇରାନର ମିସାଇଲ ମାଡରେ ତେଲ ଅଭିଭରେ ଅନେକ କୋଠା ମାଟିରେ ମିଶି ଯାଇଛି । ଲୋକେ ବଙ୍କରରେ ଲୁଚି ରହିଛନ୍ତି । ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମକୁ ଦୁନିଆରେ ସବୁଠୁ ପ୍ରଭାବଶାଳୀ କୁହାଯାଏ । ତଥାପି ଇରାନ ରାଜଧାନୀ ତେଲ ଅଭିଭ ଉପରେ ଟାର୍ଗେଟ୍ କରିବାରେ ସଫଳ ହୋଇଛି ।
ବିଶେଷଜ୍ଞଙ୍କ କହିବା କଥା ଇରାନର ଏହି ପ୍ରଭାବଶାଳୀ ହମଲାର କାରଣ ବାଲିଷ୍ଟିକ ମିସାଇଲ । ଆମରିକାର ଅନୁମାନ ଅନୁଯାୟୀ ଇସ୍ରାଏଲର ହମଲା ପୂର୍ବରୁ ଇରାନ ପାଖରେ ୩ ହଜାରରୁ ଅଧିକ ମିସାଇଲ ଭଣ୍ଡାର ରହିଥିଲା । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଚିଫ କେନେଥ ମ୍ୟାଙ୍କେଜି ମାର୍ଚ୍ଚ ମାସରେ ଇରାନର ବଢୁଥିବା ମିସାଇଲ ଶକ୍ତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ବିଶେଷଜ୍ଞଙ୍କ ମତର ଇରାନ ପାଖରେ ଯେଉଁ ବାଲିଷ୍ଟିକ ମିସାଇଲ ରହିଛି ସେଥିରେ ରକେଟ୍ ମଧ୍ୟ ରହିଛି । ଏହି ରକେଟ୍ ମିସାଇଲରୁ ବାହାରି ଏମିତି ହମଲା କରିଥାଏ, ଯେମିତି ବନ୍ଧୁକରୁ ଦ୍ରୁତ ଗତିରେ ଗୁଳି ବାହାରିଥାଏ । ଏତେ କ୍ଷୀପ୍ର ଗତିରେ ମିସାଇଲରୁ ରକେଟ୍ ବାହାରିଥାଏ ଯାହାକୁ ଠାବ କରିବା ଏବଂ ରୋକିବା ବହୁତ ମୁସ୍କିଲ ।
ବାଲିଷ୍ଟିକ ମିସାଇଲକୁ ଠାବ କରିବା ସେତେ ସହଜ ନୁହେଁ । ଯଦି ଏକ ସଙ୍ଗେ ଲାଗାତାର ଅନେକ ମିସାଇଲ ମାଡ ହୁଏ ତେବେ ଏହା ନିଶ୍ଚିତ ଯେ କିଛି ମିସାଇଲ ଯେମିତି ହେଲେ ଲକ୍ଷ୍ୟଭେଦ କରିବେ । ଏମିତି ହିଁ ଇସ୍ରାଏଲ ସହ ଘଟିଛି । ଇରାନ ଏକ ସଙ୍ଗେ ପ୍ରାୟ ୨୦୦ ବାଲିଷ୍ଟିକ ମିସାଇଲ ହମଲା କରିଛି । ବାଲିଷ୍ଟିକ ମିସାଇଲର ବିଶେଷତ୍ୱ ଏହା ବହୁତ କ୍ଷୀପ୍ର ଗତିରେ ହମଲା କରିଥାଏ । ଏହା ବ୍ୟତୀତ ଏହି ମିସାଇଲ ଦ୍ରୁତ ଗତିରେ ନିଜର ରୁଟ୍ ବି ବଦଳାଇପାରେ । ତେଣୁ ଏହାକୁ ଠାବ କରିବା ବହୁତ ମୁସ୍କିଲ ହୋଇଥାଏ ।
ଇରାନ ପାଖରେ ୧୭୦୦ କିଲୋମିଟର ପର୍ଯ୍ୟନ୍ତ ହମଲା କରିବାର ବାଲିଷ୍ଟିକ ମିସାଇଲ ରହିଛି । ଯଦି ଇସ୍ରାଏଲର ଯେ କୌଣସି ଭାଗକୁ ହମଲା କରିବାର ଅଛି ତେବେ ୧୦୦୦ କିଲୋମିଟର ରେଞ୍ଜ ପର୍ଯ୍ୟାପ୍ତ । ଇରାନରେ ପାଖରେ ଥିବା ବାଲିଷ୍ଟିକ ମିସାଇଲର ସବୁଠୁ କମ ରେଞ୍ଜ ହେଉଛି ୧୪୦୦ କିମି । ଇରାନ ମିଡିଆ ଅନୁଯାୟୀ, ତାଙ୍କ ଦେଶ ପାଖରେ ଏହିପରି ୯ ପ୍ରକାରର କ୍ଷେପଣାସ୍ତ୍ର ରହିଛି, ଯାହା ଇସ୍ରାଏଲ ଉପରେ ଆକ୍ରମଣ କରିପାରେ । ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଇରାନ କେଉଁ ମିସାଇଲରେ ହମଲା କରିଛି ।