ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଅଧିକ ଗମ୍ଭୀର ହେବାରେ ଲାଗିଛି । ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବେଞ୍ଜାମିନ ନେତନ୍ୟାହୁ ବଡ ଘୋଷଣା କରି ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି । ଏଏଫପିର ରିପୋର୍ଟ ଅନୁସାରେ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ପର୍ଯ୍ୟନ୍ତ ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ହତ୍ୟା ନ ହୋଇଛି ସେ ପର୍ଯ୍ୟନ୍ତ ଏହି ଯୁଦ୍ଧ ଶେଷ ହେବ ନାହିଁ । ତାଙ୍କର ଏହି ବୟାନ ପରେ ଏବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆହୁରି ଭୀଷଣ ରୂପ ନେବାର ସମ୍ଭାବନା ରହିଛି ।
ନେତନ୍ୟାହୁଙ୍କ ଏହି ବୟାନ ଏବେ ମଧ୍ୟପ୍ରାଚ୍ୟରେ ଚହଳ ପକାଇଛି । ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ, ଇସ୍ରାଏଲ ଖାମନେଇଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛି । ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନା କରିବାରୁ ଠିକ୍ ସମୟରେ ଇସ୍ରାଏଲ ଏହି ମିଶନରୁ ପଛଘୁଞ୍ଚା ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଇସ୍ରାଏଲ ଇରାନରେ ହମଲା କରି ପରୋକ୍ଷରେ ଯୁଦ୍ଧର ଘୋଷଣା କରିଛି ।
ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମନେଇଙ୍କୁ ହତ୍ୟା ଯାଏ ତେବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମାପ୍ତ ହେବ । ନେତନ୍ୟାହୁଙ୍କ ଏହି ଘୋଷଣା ପରେ ଇରାନର ରାଜନୈତିକ ଓ ସାମରିକ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି । ସେଠାକାର ସରକାର ଏହାକୁ ସିଧାସଳଖ ଯୁଦ୍ଧର ଘୋଷଣା ବୋଲି ଦର୍ଶାଇଛନ୍ତି । ଯଦି ଇରାନର ସର୍ବୋଚ୍ଚ ନେତାଙ୍କ କୌଣସି କ୍ଷତି ଘଟେ ତେବେ ଏହାର ଜବାବ ଐତିହାସିକ ଓ ବିନାଶକାରୀ ହେବ ବୋଲି ଇରାନ ଧମକ ଦେଇଛି ।
ବିଶ୍ଳେଷକଙ୍କ ମତରେ ଆମେରିକା ବର୍ତ୍ତମାନ ଯୁଦ୍ଧକୁ ସୀମିତ ରଖିବା ଓ ଆଞ୍ଚଳିକ ସଂଘର୍ଷକୁ ରୋକିବା ପାଇଁ ଉଦ୍ୟମ କରୁଛି । ମାତ୍ର ନେତନ୍ୟାହଙ୍କୁ ଉପରୋକ୍ତ ବୟାନରୁ ସ୍ପଷ୍ଟ ଯେ, ଇସ୍ରାଏଲ ଏବେ ଆଉ ଅଟକିବାକୁ ପ୍ରସ୍ତୁତ ନୁହେଁ । ଦୁଇ ଦେଶ ମଧ୍ୟରେ ଏବେ ମିସାଇଲ ହମଲା, ସାଇବର ଯୁଦ୍ଧ ଓ ଛାୟା ଗୋଷ୍ଠୀ ଜରିଆରେ ସଂଘର୍ଷ ଆହୁରି ଭୀଷଣ ହୋଇପାରେ ।