ଉତ୍ତରପ୍ରଦେଶ: ଟଳିଗଲା ବଡ ଅଘଟଣ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବିମାନର ଚକରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଜେଦ୍ଦାରୁ ହଜ୍ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଲକ୍ଷ୍ନୌର ଅମାଉସି ବିମାନବନ୍ଦରରେ ଅବତରଣ କରିବା ପରେ, ଏହାର ଚକରୁ ନିଆଁ ଏବଂ ପ୍ରବଳ ଧୂଆଁ ବାହାରିବାକୁ ଲାଗିଲା। ଯେଉଁ ସମୟରେ ଚକରୁ ନିଆଁ ଏବଂ ଧୂଆଁ ବାହାରୁଥିଲା, ସେହି ସମୟରେ ବିମାନରେ ପ୍ରାୟ ୨୫୦ ଜଣ ଯାତ୍ରୀ ଥିଲେ।
ଗତକାଲି ରବିବାର ସକାଳେ ଲକ୍ଷ୍ନୌ ବିମାନବନ୍ଦରରେ ସାଉଦି ଆରବ ଏୟାରଲାଇନ୍ସର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, କିନ୍ତୁ ସୌଭାଗ୍ୟବଶତଃ ଏହା ପାଇଁ କୌଣସି ଅପ୍ରୀତିକର ଘଟଣା ଘଟିନଥିଲା। ସକାଳ ୬:୩୦ରେ ଲକ୍ଷ୍ନୌ ବିମାନବନ୍ଦରରେ ହଜ୍ ତୀର୍ଥଯାତ୍ରୀଙ୍କ ବିମାନଟି ରନୱେରେ ଅବତରଣ କରିବା ମାତ୍ରେ ବାମ ଚକରୁ ଧୂଆଁ ବାହାରିବାକୁ ଲାଗିଲା। ଏଥି ପାଇଁ ସେଠାକାର ପରିସ୍ଥିତି ଟିକେ ବିଗିଡିବାକୁ ଲାଗିଲା ।
ପାଇଲଟ୍ ATCକୁ ସୂଚନା ଦେଇଥିଲେ
ଭିଡିଓ ଫୁଟେଜରେ ଦେଖାଯାଉଛି ଯେ ବିମାନ ତଳୁ ଦ୍ରୁତ ଗତିରେ ଧୂଆଁ ବାହାରୁଛି। ପାଇଲଟ୍ ତୁରନ୍ତ ବିମାନର ତଳ ଅଂଶରୁ ନିଆଁ ଏବଂ ଧୂଆଁ ବାହାରୁଥିବା ବିଷୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ATC) କୁ ସୂଚନା ଦେଇଥିଲେ। ତା’ପରେ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମବାହୀନିଙ୍କ ପ୍ରୟାସ ଫଳରେ ଏହିଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ବିମାନଟି ।ରିପୋର୍ଟ ଅନୁଯାୟୀ, ସାଉଦି ଆରବ ଏୟାରଲାଇନ୍ସର ବିମାନ SV 3112 ଶନିବାର ରାତି ପ୍ରାୟ ୧୦:୪୫ରେ ଜେଦ୍ଦା ବିମାନବନ୍ଦରରୁ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରଥିଲା। ଏହି ବିମାନରେ ୨୫୦ ଜଣ ହଜ୍ ତୀର୍ଥଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଏହି ବିମାନଟି ରବିବାର ସକାଳ ପ୍ରାୟ ୬:୩୦ରେ ଅମାଉସି ବିମାନବନ୍ଦରରେ ପହଞ୍ଚିଥିଲା।
ଘଟଣାର ପ୍ରାରମ୍ଭିକ ତଦନ୍ତରେ, ହାଇଡ୍ରୋଲିକ୍ ସିଷ୍ଟମରେ ଲିକ୍ ହେବା ପାଇଁ ସ୍ପାର୍କ ଏବଂ ଧୂଆଁ ବାହାରିଥିବା କଥା କୁହାଯାଉଛି। ବର୍ତ୍ତମାନ ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଅଛନ୍ତି ଏବଂ ଏହି ଘଟଣାରେ କେହି ଆହତ ହୋଇଥିବାର କୌଣସି ଖବର ଆସିନାହିଁ ।