ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଜନଗଣନାକୁ ନେଇ ଜାରି ଅପେକ୍ଷାର ଅନ୍ତ ଘଟିଛି । ଗୃହ ମନ୍ତ୍ରଣାଳୟ ସୋମବାର ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତ ସରକାର ଘୋଷଣା କରିଛନ୍ତି ଯେ, ଦେଶର ପରବର୍ତ୍ତୀ ଜନଗଣନା ୨୦୨୭ରେ କରାଯିବ । ଦେଶରେ ଅଧିକାଂଶ ଭାଗରେ ଜନଗଣନା ପାଇଁ ୨୦୨୭ ମାର୍ଚ୍ଚ ୧ ତାରିଖ ମଧ୍ୟ ରାତ୍ରକୁ ଆଧାର ତାରିଖ ଭାବେ ଗଣନା କରାଯିବ । ଭୀଷଣ ଥଣ୍ଡା ଓ ବରଫାଚ୍ଛନ୍ନ ଅଞ୍ଚଳ ଯେମିତି ଲଦାଖ, ଜମ୍ମୁ-କାଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଏହି ତାରିଖ ୨୦୨୬ ଅକ୍ଟୋବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି ।
ଜନଗଣନାର ପୂରା ପ୍ରକ୍ରିୟା ୨୦୨୭ ମାର୍ଚ୍ଚ ୧ ତାରିଖ ସୁଦ୍ଧା ପୂରା ହେବ । ଜନଗଣନାର ପ୍ରାଥମିକ ତଥ୍ୟ ୨୦୨୭ ମାର୍ଚ୍ଚରେ ଜାରି କରାଯିବ । କିନ୍ତୁ ବିସୃତ ତଥ୍ୟ ପାଇଁ ବର୍ଷର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଜନଗଣନାର ପୂରା ପ୍ରକ୍ରିୟା ପାଖାପାଖି ୨୧ ମାସରେ ପୂରା ହେବ ।
ଦୁଇ ପର୍ଯ୍ୟାୟରେ ହେବ ଜନଗଣନା
ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ । ୨୦୨୭ ମାର୍ଚ୍ଚ ୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଦେଶର ଜନସଂଖ୍ୟା ଓ ସାମାଜିକ ସ୍ଥିତିର ଯାହା ତଥ୍ୟ ଥିବ ତାକୁ ହିଁ ରେକର୍ଡ ହିସାବରେ ଗଣନା କରାଯିବ ।
ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରର ସ୍ଥିତି, ପରିସଂପତ୍ତି ଓ ସୁବିଧା ସୁଯୋଗର ବିବରଣୀ ଏକତ୍ର କରାଯିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନାରେ ପ୍ରତ୍ୟେକ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସାଂଖିକ, ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟ ବିବରଣ ଏକତ୍ର କରାଯିବ ।
ଏଥର ଜନଗଣନାରେ ଜାତିଭିତ୍ତିକ ଜନଗଣନା ମଧ୍ୟ କରାଯିବ । ଜନଗଣନା ପାଇଁ ପ୍ରାୟ ୩୪ ଲକ୍ଷ ଗଣନାକାର ଓ ପର୍ଯ୍ୟବେକ୍ଷକ, ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ନିୟୋଜିତ ହେବେ । ଭାରତରେ ଏହା ଦେଶ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ । ଏଥର ଜନଗଣନା ୧୬ ବର୍ଷ ପରେ କରାଯାଉଛି । ଗତ ଥର ଜନଗଣନା ୨୦୧୧ରେ ହୋଇଥିଲା । ଆଗାମୀ ଜନଗଣନା ମୋବାଇଲ ଆପ୍ଲିକେସନର ଉପଯୋଗ କରି ଡିଜିଟାଲ୍ ମାଧ୍ୟମରେ କରାଯିବ ।