ନୂଆଦିଲ୍ଲୀ: ଏମିତି ଲାଗୁଛି ଏୟାର ଇଣ୍ଡିଆର ମୁସ୍କିଲ ଥମିବାର ନାଁ ନେଉନି । ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବୋଇଙ୍ଗ ୭୮୭-୮ ଡ୍ରିମଲାନର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଉଡାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିବା ପରେ ବିମାନକୁ ପୁଣି ହଂକଂ ଫେରିବାକୁ ପଡିଛି । ଉଲ୍ଲେଖନୀୟ ଚାରି ଦିନ ପୂର୍ବେ ଅହମ୍ମଦାବାଦରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମେଡିକାଲ ହଷ୍ଟେଲ ଉପରେ ବିମାନ ପଡିବାରୁ ସେଥିରେ ପାଖାପାଖି ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ହଂକଂରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୩୧୫ ଗତ ରାତି ୧୧ଟା ୫୯ ମିନିଟରେ ହଂକଂରୁ ଉଡାଣ ଆରମ୍ଭ କରିଥିଲା । ରେକର୍ଡ ଅନୁଯାୟୀ ଏହି ଉଡାଣ ତିନି ଘଣ୍ଟା ୯ ମିନିଟ୍ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା । ତେବେ ଉଡାଣ ଭରିବାର କିଛି ମିନିଟ୍ ପରେ ପାଇଲଟଙ୍କୁ ଆକାଶରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ଥିବା ସନ୍ଦେହ ହୋଇଥିଲା । ଏହା ଉପରେ ପାଇଲଟ ବିମାନକୁ ସମୁଦ୍ର ଉପରେ କିଛି ସମୟ ଉଡାଇଥିଲେ ।
ହେଲେ ସମସ୍ୟା ଦୂର ନ ହେବାରୁ ବିମାନକୁ ପୁନର୍ବାର ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ବିମାନ ପ୍ରାୟ ଏକ ଘଣ୍ଟା ୧୯ ମିନିଟ୍ ପରେ ନିଜର ମୂଳ ସ୍ଥାନ ଅର୍ଥାତ ହଂକଂର ବିମାନ ବନ୍ଦରକୁ ଫେରିବାକୁ ପଡିଛି । ବିମାନ ସ୍ଥାନୀୟ ସମୟ ଅନୁସାରେ ରାତି ୧ଟା ୧୯ ମିନିଟରେ ବିମାନ ବନ୍ଦରରେ ଅବତରଣ କରିଛି । ଏବେ ବିମାନର ଟିକିନିକି ଯାଞ୍ଚ କରାଯାଉଛି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବିମାନର ଚକରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଜେଦ୍ଦାରୁ ହଜ୍ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଲକ୍ଷ୍ନୌର ଅମାଉସି ବିମାନବନ୍ଦରରେ ଅବତରଣ କରିବା ପରେ, ଏହାର ଚକରୁ ନିଆଁ ଏବଂ ପ୍ରବଳ ଧୂଆଁ ବାହାରିବାକୁ ଲାଗିଲା। ଯେଉଁ ସମୟରେ ଚକରୁ ନିଆଁ ଏବଂ ଧୂଆଁ ବାହାରୁଥିଲା, ସେହି ସମୟରେ ବିମାନରେ ପ୍ରାୟ ୨୫୦ ଜଣ ଯାତ୍ରୀ ଥିଲେ।