ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅମରୋହା ଅନ୍ତର୍ଗତ ଅତରାସୀ କଲାଂରେ ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି । ଏକ ବାଣ କାରଖାନାରେ ସୋମବାର ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ସେଠାରେ କାମ କରୁଥିବା ୪ଜଣ ମହିଳାଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୧୨ ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୋମବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍ ସମୟରେ ଅତରାସୀ କଲାଂରେ ଏକ ବିଲ ମଝିରେ ଥିବା ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ କାରଖାନା ତାସ ଭଳି ଭୁଷୁଡ଼ିପଡ଼ିଥିଲା । ନିକଟସ୍ଥ ଗ୍ରମାବାସୀ ବିସ୍ଫୋରଣର ବିକଟାଳ ଶବ୍ଦ ଶୁଣି ଧାଇଁ ଆସି ଉଦ୍ଧାରକାର୍ଯ୍ୟ ତୁରନ୍ତ ଆରମ୍ଭ କରିଦେଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଉଦ୍ଧାର ଆରମ୍ଭ କରିଥିଲା । ଭଗ୍ନାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରିଥିଲା । ଖବର ଲେଖାଯିବା ବେଳକୁ ୪ ଜଣ ମହିଳା ପ୍ରାଣ ହରାଇ ସାରିଥିଲେ । ଏହା ସହିତ ୧୨ରୁ ଉର୍ଦ୍ଧ୍ୱ ଗୁରୁତରଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅମରୋହା ଏସପି ଅମିତ କୁମାର ଆନନ୍ଦଙ୍କ ସୂଚନା ମୁତାବକ, ବାଣ କାରଖାନାର ଲାଇସେନ୍ସ ଥିଲା । ସୈଫ୍ ଉର ରେହମାନଙ୍କ ପୁଅ କେସର ଅହମଦ ତାର ମାଲିକ ଅଟେ । ମୃତାହତଙ୍କ ବିଷୟରେ ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ତେବେ ବିସ୍ଫୋରଣ କିପରି ହେଲା ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି ।