ଭୁବନେଶ୍ୱର; ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି ହାଇଜା । ପ୍ରଥମେ ଯାଜପୁର ଓ ପରେ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ହଇଜା ବ୍ୟାପିବା ପରେ ଏବେ ରାଜଧାନୀରେ ଆକ୍ସନ ମୋଡରେ ବିଏମସି । ରାଜଧାନୀରେ ହଇଜା ବ୍ୟାପିବା ପରେ ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଛି ।
ସୂଚନା ଅନୁସାରେ କଲେରା ବ୍ୟାପିବାକୁ ନେଇ ମୁଖ୍ୟମନ୍ତ୍ରୀ ୫ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଵାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖିବା ସହ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ନମିଳିଛି ସେପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ । ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଡ଼ୋଶୀ ଜିଲ୍ଲାକୁ ନ ବ୍ୟାପିବା ଉପରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।