ଭୁବନେଶ୍ୱର: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଚେତାବନୀ ଜାରି କରିଛନ୍ତି। ଗଜପତି ମହାରାଜା ଇସ୍କନ୍କୁ ଚିଠି ଲେଖି ଏହା ଆୟୋଜନ ନ କରିବାକୁ ବାରଣ କରିସାରିଥିବା ସେ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, “ଶ୍ରୀମନ୍ଦିର ପ୍ରଶାସନ ସଙ୍ଗେ ଆଲୋଚନା ହୋଇଛି । ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି । ନୂଆପଡାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା । ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଯଦି କେହି ତ୍ରୁଟି ବିଚ୍ୟୁତ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ। ଇସ୍କନକୁ ବି ପରାମର୍ଶ ଦିଆଯାଇଛି ଯଦି କଥା ନମାନେ ଆଇନଗତ ପଦକ୍ଷେପ ନିଆଯିବ।” ଏହି ନିଷ୍ପତ୍ତି ପୁରୀର ପାରମ୍ପରିକ ରଥଯାତ୍ରାର ମର୍ଯ୍ୟାଦା ଓ ଧାର୍ମିକ ମହତ୍ତ୍ୱକୁ ସୁରକ୍ଷିତ ରଖିବା ପାଇଁ ନିଆଯାଇଥିବା ଜଣାପଡ଼ିଛି। ସରକାର ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସ୍ଥାନରେ କଡ଼ା ନଜର ରଖିଛନ୍ତି।
ଗତବର୍ଷ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ମଧ୍ୟ ଗଜପତି ମହାରାଜ କଡ଼ା ଚେତାବନୀ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଥିଲେ, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ତାଗିଦ କରିଥିଲେ ।