ଗଜପତି: ବାତ୍ୟା ‘ମୋନ୍ଥା’ର ତାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ଚିତ୍ର ଆସିଛି । କେଉଁଠି ପବନରେ ଗଛ ଭାଙ୍ଗି ପଡ଼ିଲାଣି ତ ଆଉ କେଉଁଠି ପାହାଡ଼ ଧସିଲାଣି ।
ଜିଲ୍ଲାର କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ଭୂସ୍ଖଳନ ହୋଇଛି । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିରହିଛି । ଏହି ରାସ୍ତା ଗୁମ୍ମା ଏବଂ କାଶୀନଗରକୁ ସଂଯୋଗ କରେ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ କରାଯାଇଛି । ଜେସିବି ମେସିନ୍ ସାହାଯ୍ୟରେ ପଥର ଖଣ୍ଡ ଗୁଡ଼ିକୁ ହଟାଯାଇଛି । ଅତିରିକ୍ତ ଜିଲ୍ଲା ଫାଲଗୁନୀ ମାଝୀ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି । ଏହି ରାସ୍ତାରେ ଲଘୁଚାପ ବର୍ଷାରେ ମଧ୍ୟ ଭୂସ୍ଖଳନ ହୋଇଥାଏ ।
ସେହିପରି କିଛି ସ୍ଥାନରେ ରାସ୍ତାର ଗଛ ଭାଙ୍ଗି ପଡ଼ିଛି । ପ୍ରଶାସନ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଇଛି । ମୋହନା ବ୍ଲକ୍ ଆଖିଲି ଗ୍ରାମରେ ଜଣଙ୍କ ଘର ଭୁଶୁଡ଼ି ପଡ଼ିଛି । ବାସୁଦେବ ପରିଚ୍ଛା ନାମକ ଜଣେ ବ୍ୟକ୍ତିଙ୍କ ଘର ଗତକାଲି ରାତିରେ ଭାଙ୍ଗିଯାଇଛି । ସେ ଘର ଭିତରେ ଚାପି ହୋଇଯାଇଥିଲେ । ମାତ୍ର ସୌଭାଗ୍ୟବଶତଃ ବାହାରକୁ ବାହାରି ଆସିଥିଲେ ।
ଗଜପତି ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ଆର୍.ଉଦୟଗିରି, ଗୁମ୍ମା, ମୋହନା ଓ ରାୟଗଡ଼ ବ୍ଲକ୍ ରେ ଭୂସ୍ଖଳନ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧୨୭ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୪୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ତତସହିତ ୧୬୦ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ମା ଗୃହରେ ରଖାଯାଇଛି ।