ପାରାଦୀପରେ ପଣ୍ୟବାହୀ ଜାହାଜ ଗିରଫ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗିରଫ କଲେ ସ୍ବତନ୍ତ୍ର ଟିମ୍। MV MAGNET ନାମକ ଜାହାଜ ଗିରଫ ହୋଇଛି। ଋଷିଆରୁ କୋକିଂ କୋଲ ନେଇ ଏହି ଜାହାଜ ପାରାଦୀପ ଆସିଥିଲା। ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି। ଏହି ଟଙ୍କା ନଦେବାରୁ ସିଲକ୍ ରୋଡ୍ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ହାଇକୋର୍ଟର ବିଚାରପତି ତଥା ଆଡମିରାଲିଟି ଜଷ୍ଟିସ୍ ଭି. ନରସିଂହ ମାମଲାର ତ୍ୱରିତ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି। ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧ରେ ହେବ। ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍ଲୋଡ୍ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଅଦାଲତଙ୍କ ଏହି ଆଦେଶ କପିକୁ ଆବେଦନକାରୀ ପ୍ରତିପକ୍ଷଙ୍କୁ ଫ୍ୟାକ୍ସ, ଇ-ମେଲ୍ କିମ୍ବା ନିଜେ ଯାଇ ପ୍ରଦାନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।