ଭୁବନେଶ୍ୱର: ଆଜି ହେଉଛି ପବିତ୍ର ‘ଛଟ୍ ପୂଜା’ର ଅନ୍ତିମ ଦିବସ । ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତଧାରୀମାନେ ପୂଜା ସମାପନ କରିଛନ୍ତି । ଛଟ୍ ପୂଜା ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀ ସହିତ ଭୁବନେଶ୍ୱରରେ ଆୟୋଜିତ ଛଟ୍ ପୂଜାରେ ସାମିଲ ହୋଇଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସୂର୍ଯ୍ୟ ପୂଜା କରିଛନ୍ତି ।
ପବିତ୍ର ଛଟ୍ ପୂଜା ଅବସରରେ ଭୁବନେଶ୍ୱର କୂଆଖାଇ ନଦୀ ପଠାରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଯୋଗ ଦେଇଛନ୍ତି । ଉଦିତ ସୂର୍ଯ୍ୟଙ୍କୁ ଉଭୟ ଅର୍ଘ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଆଜି ପବିତ୍ର ଛଟ୍ ପୂଜା ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲି। ସୂର୍ଯ୍ୟ ଦେବତା ଓ ମା' ଷଷ୍ଠୀଙ୍କ ପାଖରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସୁଖ, ଶାନ୍ତି ଓ ରାଜ୍ୟର ସର୍ବାଙ୍ଗୀନ ସମୃଦ୍ଧି କାମନା କରୁଛି। ସାମାଜିକ ସଦଭାବନାର ଏହି ମହାପର୍ବରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ।”
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ପାଟନା ସ୍ଥିତ ଏଜି କଲୋନୀ ପାର୍କରେ ଆୟୋଜିତ ଛଟ୍ ପୂଜାରେ ସାମିଲ ହୋଇଛନ୍ତି । ଏଭଳି ଏକ ପବିତ୍ର ଅବସରରେ ଯୋଗ ଦେଇଥିବାରୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି । ଏହା ସହିତ ‘ଛଟି’ ମାଆଙ୍କ ପାଖରେ ସମାଜର ମଙ୍ଗଳା କାମନା କରିଛନ୍ତି ।