କୋରାପୁଟ: ପୂର୍ବତନ ମନ୍ତ୍ରୀ ତଥା କୋରାପୁଟ ଜିଲ୍ଲା କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ ଗୁରୁତର ହୋଇଛନ୍ତି । ତାଙ୍କ ସହିତ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ତାଙ୍କର ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି । ପଦ୍ମିନୀଙ୍କୁ କୋରାପୁଟର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏକ ଭୋଜି ଖାଇବା ପରେ ସମସ୍ତେ ଏକାବେଳେ ଗୁରୁତର ହୋଇଥିବା ସୂଚନା ମିଳିଛି ।
ପଦ୍ମିନୀ ଦିଆନ ଏବଂ ଅନ୍ୟମାନେ ଗତକାଲି ଅପରାହ୍ନ ସମୟରେ ଏକ ଭୋଜିରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ରାମବତୀ ଦିଆନ । ସମସ୍ତେ ଭୋଜି ଖାଇ ସାରିବା ପରେ ପ୍ରଥମେ ପଦ୍ମିନୀ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପଦ୍ମିନୀ ଦିଆନ ଏବଂ ଅନ୍ୟମାନଙ୍କୁ ତୁରନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ପଦ୍ମିନୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ଖବର ପାଇ କୋରାପୁଟ ମ୍ୟୁନିସିପାଲଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପୂର୍ବତନ ମନ୍ତ୍ରୀଙ୍କୁ ଭେଟିଛନ୍ତି । ପୂର୍ବତନ ମନ୍ତ୍ରୀ କଥାବାର୍ତ୍ତା କରିବା ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଅଧ୍ୟକ୍ଷ କହିଛନ୍ତି ।