ଭୁବନେଶ୍ୱର: ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବା ଖବର ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନ ଚିନ୍ତା ଘାରିଛି । ବିଶେଷକରି ଗଜପତିରେ ୩ରୁ ୪ଟି ବ୍ଲକ୍, ମାଲକାନଗିରି ଏବଂ ରାୟଗଡ଼ାରେ ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ରହିଛି । ଗଜପତି ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ଏଥିପାଇଁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ସଜାଗ ଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଅଗ୍ନିଶମ ଡିଜିଙ୍କ ମୁତାବକ, କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଏହି ସବୁ ଜିଲ୍ଲାମାନଙ୍କରେ ଭୂସ୍ଖଳନର ଅଧିକ ଆଶଙ୍କା ରହିଛି । ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ ଆଣିପାରେ । ଗଜପତି ଜିଲ୍ଲାର ଆର୍.ଉଦୟଗିରି, ଗୁମ୍ମା, ମୋହନା ଓ ରାୟଗଡ଼ ବ୍ଲକ୍, ମାଲକାନଗିରି ଜିଲ୍ଲାର ଖଇରପୁଟ, ମୁଦୁଲିପଡ଼ା ଓ ବଣ୍ଡା ଘାଟି ଓ ଚିତ୍ରକୁଣ୍ଡାରେ ମାଟି ଅତଡ଼ା ଧସିବାର ସମ୍ଭାବନା ରହିଛି । ସେହିପରି କଳାହାଣ୍ଡିର ଥୁଆମୂଳ ରାମପୁର, କନ୍ଧମାଳର କଳିଙ୍ଗାଘାଟି, ଦାରିଙ୍ଗବାଡ଼ି, ସୋରଡ଼ାରେ ଭୂସ୍ଖଳନର ଆଶଙ୍କା ରହିଛି । ଏହି ସମସ୍ତ ଅଞ୍ଚଳର ପାହାଡ଼ ପାଦ ଦେଶରେ ଥିବା ଲୋକଙ୍କୁ ଆଶ୍ରୟ ସ୍ଥଳ ଯିବାକୁ ପରାମର୍ଶ ଦେଇଛନ୍ତି ।
ଭୂସ୍ଖଳନ ମୁକାବିଲା କରିବାକୁ ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ସାରିଛି । ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି । ଯଦି ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାକୁ ମୁକାବିଲା କରାଯିବ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ।
ସେପଟେ କଳିଙ୍ଗା ଘାଟି ରାସ୍ତାକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଛି । ଘାଟିରେ ଚାଲିଥିବା ରାସ୍ତା ମରାମତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଏହା ସହିତ କାର୍ଯ୍ୟସ୍ଥଳରୁ ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି ।