ଭୁବନେଶ୍ୱର: ବାତ୍ୟା ମୋନ୍ଥା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୨ଟି ଟ୍ରେନକୁ ବାତିଲ କରାଯାଇଛି । ସେହିପରି ଗୋଟିଏ ଟ୍ରେନର ଗତିପଥ ବଦଳାଯାଇଥିବାବେଳେ ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ବଦଳାଯାଇଛି । ୨୭ ଓ ୨୮ ତାରିଖ ପାଇଁ ବାତିଲ ହୋଇଛି । ବିଶେଷକରି ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଦେଇ ଗତି କରୁଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି ।
ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ମୋନ୍ଥକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ବି. ଶ୍ରୀକୃଷ୍ଣ ରାଜକୁମାର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରିଛନ୍ତି । ସେ ଯାତ୍ରୀମାନଙ୍କ ପ୍ରତି ଶୂନ୍ୟ ବିପଦ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଘୂର୍ଣ୍ଣିଝଡ଼ ପ୍ରଭାବ ପରେ ଟ୍ରାକ୍, ସିଗନାଲିଂ ସିଷ୍ଟମ, ଓଏଚଇ ଏବଂ ବିଦ୍ୟୁତୀକରଣ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀ ଏବଂ ରେଳ ସମ୍ପତ୍ତିର ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି ।
ରେଳ ପରିସର ନିକଟରେ ସମସ୍ତ ହୋର୍ଡିଂ, ଲୁଜ୍ ସିଟ୍ ଏବଂ ନିର୍ମାଣ ସାମଗ୍ରୀକୁ ସୁରକ୍ଷିତ ରଖାଯିବା ସହିତ ବାଧା ଏଡାଇବା ପାଇଁ ରେଳ ଟ୍ରାକ୍ ନିକଟରେ ଥିବା ଗଛଗୁଡ଼ିକୁ କଟାଯାଉଛି ।
ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୮ ତାରିଖରେ ବ୍ରହ୍ମପୁରରୁ ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ (୧୮୫୨୬/୧୮୫୨୫ ) ବାତିଲ କରାଯାଇଛି । ୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୯ ତାରିଖରେ ଅମୃତସରରୁ ବିଶାଖାପାଟଣା-ଅମୃତସର-ବିଶାଖାପାଟଣା (୨୦୮୦୫/୨୦୮୦୬) ଏକ୍ସପ୍ରେସ ବାତିଲ ରହିବ । ୨୮ ଅକ୍ଟୋବରରେ ବିଶାଖାପାଟଣା-ପଲାସା-ବିଶାଖାପାଟଣା ମେମୁ (୬୭୨୮୯/୬୭୨୯୦ ) ଉଭୟ ପାର୍ଶ୍ୱରୁ ଏବଂ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର (୫୮୫୩୧/୫୮୫୩୨ ) ବାତିଲ ହୋଇଛି । ୨୮ ତାରିଖରେ କଟକରୁ ଏବଂ ୨୯ ଅକ୍ଟୋବର ରେ ଗୁଣୁପୁରରୁ ଛାଡ଼ିବାକୁ ଥିବା କଟକ-ଗୁଣୁପୁର-କଟକ ମେମୁ (୬୮୪୩୩/୬୮୪୩୪) ବାତିଲ ରହିବ ।
୨୮ ଅକ୍ଟୋବର ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ (୧୮୪୬୩), ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ (୧୭୦୧୫ ) ଏବଂ ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ (୨୦୮୫୧) ବାତିଲ ରହିବ।
୨୭ ଅକ୍ଟୋବରରେ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭) ରାୟଗଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ରାୟଗଡାରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ ।
ଟ୍ରାକ୍ ପାଟ୍ରୋଲିଂ ଟ୍ରାକ୍ ସୁରକ୍ଷା ଉପରେ ନଜର ରଖିବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂ କର୍ମୀଙ୍କୁ ୨୪ ଘଣ୍ଟା ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ସମୟରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ବିଭାଗୀୟ ଗ୍ୟାଙ୍ଗମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ପୂର୍ବରୁ ବାତିଲ ହୋଇଥିବା ୧୪ଟି ଟ୍ରେନକୁ ପୁଣି ଥରେ କାର୍ୟ୍ୟକ୍ଷମ କରାଯାଇଛି । ୨୭ ତାରିଖ ସୋମବାର ନିର୍ଦ୍ଧାରିତ ସମୟରେ ଉକ୍ତ ଟ୍ରେନ୍ ଗୁଡ଼ିକ ଛାଡ଼ିବ । ବିଶାଖାପାଟଣା-ତିରୁପତି (୦୮୫୮୩), ବିଶାଖାପାଟଣା-ତିରୁପତି ଡବଲ୍ ଡେକର୍ ( ୨୨୭୦୭), ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସ୍ (୧୭୨୪୩), ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ୍ (୧୭୨୪୪), ବିଶାଖାପାଟଣା-ମଛଲିପଟନମ୍ ଏକ୍ସପ୍ରେସ୍ (୧୭୨୨୦), ବିଶାଖାପାଟଣା-ହାଇଦ୍ରାବାଦ ଏକ୍ସପ୍ରେସ୍ (୧୨୭୨୭), ବିଶାଖାପାଟଣା-ମହବୁବନଗର ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୬୧) ଆଦି ଟ୍ରେନ୍ ଗୁଡ଼ିକ ଆଜି ପୁଣି ଯାତ୍ରା କରିବେ ।