ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ନେଇ ବର୍ତମାନ ଉଚ୍ଚସ୍ତରୀୟ ବୈଠକ ବସିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି। ଏଥିରେ ଭିସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅଗ୍ନିଶମ ଡିଜି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି। ବାତ୍ୟାର ଗତିବିଧି ଏବଂ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଥିବା ପ୍ରସ୍ତୁତିକୁ ନେଇ ଟିକିନିକ ଅପଡେଟ ଦିଆଯାଉଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମନ୍ଥାକୁ ଓଡ଼ିଶାରେ ପ୍ରସ୍ତୁତି କିପରି ଅଛି, ସେନେଇ ବୈଠକ ବସୁଛି। ପୂର୍ବରୁ ମଧ୍ୟ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୦ଟି ଯାକ ଜିଲ୍ଲାପାଳଙ୍କ ସହ ବାତ୍ୟା ସମୀକ୍ଷା ବୈଠକ ବସିଥିବା ବେଳେ ଆଜି ବି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଉଛି। ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ଅଗ୍ନିଶମ ବିଭାଗର ୯ଟି ଟିମ୍ ପ୍ରସ୍ତୁତ ରହିଛି। ଗଜପତି ଜିଲ୍ଲା ପାଇଁ ୮ ଟିମ୍ ଓ ଗଞ୍ଜାମ ପାଇଁ ଗୋଟିଏ ଟିମ୍ ପ୍ରସ୍ତୁତ ରହିଛି।
ବାତ୍ୟା ଏବେ ଗତ ୬ ଘଣ୍ଟା ଧରି ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି।ବିଶାଖାପାଟଣାଠାରୁ ୬୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଅଛି। ଏହାର ପ୍ରଭାବରେ ଓଡ଼ିଶାରେ ଆରମ୍ଭ ହୋଇ ଗଲାଣି ବର୍ଷା ଓ ପବନ। ଆସନ୍ତା ଦୁଇ ଦିନ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ। ସବୁ ପରିସ୍ଥିତିର ମୁକାବିଲା ପାଇଁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।