ପୁରୀ : ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଦାରୁବିଗ୍ରହମାନଙ୍କ ଅବକାଶ ନୀତି ପରେ ହରିହର ବେଶ ଆରମ୍ଭ ହୋଇଥିଲା। ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ବଡ଼ ଠାକୁର ୩୨ ପ୍ରକାରରୁ ଊର୍ଦ୍ଧ୍ୱ ସୁବର୍ଣ୍ଣ ଅଳଙ୍କାର ସମେତ ଅର୍ଦ୍ଧେକ କଳା ଓ ଅର୍ଦ୍ଧେକ ଧଳାବସ୍ତ୍ରରେ ଭୂଷିତ ହୋଇଥାନ୍ତି। ବଳଭଦ୍ରଙ୍କ ବାମପାର୍ଶ୍ୱକୁ କଳା ଓ ଡାହାଣ ପାର୍ଶ୍ୱକୁ ଧଳା ରଙ୍ଗର ବସ୍ତ୍ରରେ ସଜ୍ଜିତ କରାଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶ ଓ ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବଳଭଦ୍ରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ହରିଙ୍କ ସହ ହରଙ୍କ ଆତ୍ମୀୟତା ଏହି ବେଶରେ ପ୍ରକଟିତ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ହରି ଓ ହର ଅଭିନ୍ନ ବୋଲି ପ୍ରମାଣ ରହିଛି।
ସୂଚନାଯୋଗ୍ୟ କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁ ସୋମବାର ପଡ଼େ ସେହିଦିନ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ବଡ଼ ଠାକୁରଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ଆତ୍ମତୃପ୍ତି ଲାଭ କରନ୍ତି।