ଭୁବନେଶ୍ୱର: ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଉଛି। ଏଥିରେ ଶ୍ରସ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ OSDMA, ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏଥିସହ ଭିସି ମାଧ୍ୟମରେ ସବୁ ଜିଲ୍ଲାପାଳମାନେ ମଧ୍ୟ ଯୋଗ ଦେଇଛନ୍ତି।
ଏହି ସମ୍ଭାବ୍ୟ ବାତ୍ୟାରେ ଓଡିଶା ପ୍ରଭାବିତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ, ତେଣୁ ଏହାର ମୁକାବିଲା ପାଇଁ ପ୍ରଶାସନକୁ ପୁରା ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଜି ୩୦ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ବୈଠକ ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ଅଗ୍ନିଶମବାହିନୀ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି। ପ୍ରସୂତି ମହିଳାମାନଙ୍କ ପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
'ଓଡ଼ିଶାର ୮ ଜିଲ୍ଲା ରେଡ୍ ଜୋନ୍ରେ ରହିଛି। ଏଥିରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ରେଡ୍ ଜୋନ୍ ରେ ଥିବା ବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ଼ ପରି ଜିଲ୍ଲା ବି ପ୍ରଭାବିତ ହୋଇପାରେ, ତେଣୁ କେବଳ ରେଡ୍ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ଆମେ ସଜାଗ କରୁଛୁ। ବାତ୍ୟାରେ କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ସେହିପରି ବାତ୍ୟା ମୁକାବିଲା ନେଇ SRC କହିଛନ୍ତି, ଆସନ୍ତାକାଲିଠୁ ପ୍ରଭାବ ପଡିବ, ଏବଂ ୨୮ ଓ ୨୯ରେ ବେଶୀ ପ୍ରଭାବ ହେବ। ମୋଟ୍ ୧୨୮ଟି ଓଡ୍ରାଫ୍, ଏନ୍ଡିଆରଏଫ୍ ଟିମ୍ କୁ ଏବେ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଶେଷ ହେବ। ରାଜ୍ୟର ସବୁ ସ୍କୁଲ୍ ବନ୍ଦ ହେବ କି ନା ନାହିଁ ତାହା କାଲି ନିଷ୍ପତ୍ତି ହେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ।