ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ। ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ମଧ୍ଯ ୨୭ରୁ ୨୯ ପର୍ଯ୍ୟନ୍ତ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ । ଓଡ଼ିଶାକୁ ୨୮ ଓ ୨୯ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ।ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫ୍ଲ କରିବ ସେନେଇ କୁହାଯାଇ ନାହିଁ। କିନ୍ତୁ ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୨୭ ତାରିଖରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ୭ ସେ.ମି.ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।