ଭୁବନେଶ୍ୱର : ଶନିବାର ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି କ୍ୟାବିନେଟ ବୈଠକରେ ମୋଟ ୪ ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି , ଏହିଭଳି ମୋଟ ୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି ।
ଆଗାମୀ ୧୦ ବର୍ଷ ପାଇଁ ୨୦୦ ଟି ଇ- ବସ ରାଜ୍ୟରେ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଣିକି ଏହାର ଯୋଜନା ପାଇଁ ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନାକୁ କ୍ୟାବିନେଟର ମୋହର ବାଜିଛି । ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ । ରାଜ୍ୟର ଅତିରିକ୍ତ ଭାବେ ୫.୨ କେଜି ମୁଣ୍ଡା ପିଛା ବାର୍ଷିକ ମାଛ, ୭.୪ କେଜି ମୁଣ୍ଡା ପିଛା ବାର୍ଷିକ ମାଂସ ଉତ୍ପାଦନ ବୃଦ୍ଧି ହେବ ।
ସେହିପରି ରାଜ୍ଯରେ ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି ।
କୃଷି ଓ କୃଷକ ସଶକ୍ତି କରଣ ଅନ୍ତର୍ଭୁକ୍ତ ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ୧୫୨୩.୯୮ କୋଟି ଟଙ୍କା ଖର୍ଚ୍ଚ ହେବ।