ଭୁବନେଶ୍ୱର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ। ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ସକ୍ରିୟ ହୋଇ ଆହୁରି ଘନୀଭୂତ ହେବ ବାତ୍ୟା 'ମୋନ୍ଥା'। ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ବାତ୍ଯା ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏହି ସମୟରେ ବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି. ରହିବ। ସର୍ବାଧିକ ୧୧୦ କି.ମି. ପବନର ବେଗ ରହିବା ଆଶଙ୍କା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କି.ମି. ବେଗରେ ଏହା ଗତି କରୁଛି। ଏବେ ଗୋପାଳପୁର ଠାରୁ ୯୫୦ କି.ମି. ଦୂର ଏବଂ ଆନ୍ଧ୍ରର କାକିନାଡ଼ାଠାରୁ ୮୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
ରାଜ୍ୟରେ ୨୮ ଓ ୨୯ ତାରିଖ ଦୁଇ ଦିନ ଅତି ଭୀଷଣ ବର୍ଷା ହେବ। ୨୮ ତାରିଖରେ ଅତି ଭୀଷଣ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୨୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ଏବଂ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଥିପାଇଁ ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି ଆଜି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।
ଗଭୀର ଅବପାତର ରୂପ ନେବ ବାତ୍ୟା 'ମୋନ୍ଥା ' : ୮ କିମି ବେଗରେ ବଢୁଛି ଗତି