ବାତ୍ୟା ‘ମୋନ୍ଥା’ କୁ ନେଇ ବଡ଼ ଅପଡେଟ୍ ଆସିଛି। ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ‘ମୋନ୍ଥା’। ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ। ୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ ‘ମୋନ୍ଥା’। ଆନ୍ଧ୍ରର ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବ। କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ। ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ ସର୍ବାଧିକ ୧୧୦ କିମି ରହିବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଆଜିଠୁ ପାଗ ବଦଳୁଥିବାବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। କାଲିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆଯାଇଛି ସମାନ ଚେତାବନୀ। ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ। ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ।
ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଜଳସମ୍ପଦ, ପଞ୍ଚାୟତିରାଜ, କୃଷି ଓ ଶକ୍ତି ବିଭାଗକୁ ସଜାଗ କରାଯାଇଛି।