ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି।ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଜଣାପଡି ନାହିଁ। ମାତ୍ର ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ପ୍ରଭାବରେ ପ୍ରବଳ ବର୍ଷା ହେବ।
ଆଜିଠୁ ପାଗ ବଦଳୁଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ଖାସ୍ କରି ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବା ସହ ୭୦ କିମି ବେଗରେ ପବନ ବୋହିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିବ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ଏହିସବୁ ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ସୋମବାର ୨୭ ତାରିଖରେ ରାଜ୍ୟର ସମସ୍ତ ଜିଲାକୁ ୟୋଲେ ୱାର୍ନିଂ ଏବଂ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି।