ନୂଆଦିଲ୍ଲୀ: ବିହାର ପରେ ଏବେ ତାମିଲନାଡୁର ପାଳି । ନିର୍ବାଚନ ଆୟୋଗ(ଇସିଆଇ) ଶୁକ୍ରବାର ମାଦ୍ରାସ ହାଇକୋର୍ଟକୁ ଜଣାଇଛନ୍ତି ଯେ, ତାମିଲନାଡୁରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ଗୋଟିଏ ସପ୍ତାହରେ ଭିତରେ ଆରମ୍ଭ କରାଯିବ । ଏହି ପ୍ରକ୍ରିୟା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ କରାଯିବ । ପୁରା ଦେଶରେ ଭୋଟର ତାଲିକାକୁ ଅପଡେଟ୍ କରାଯିବା ରାଷ୍ଟ୍ରୀୟ ଅଭିଯାନର ଏକ ଅଂଶ ବିଶେଷ ।
ମୁଖ୍ୟ ବିଚାରପତି ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଓ ବିଚାରପତି ଜି ଅରୁଲମୁରୁଗନଙ୍କ ପୀଠ ସାମ୍ନାରେ ହାଜର ହୋଇଛନ୍ତି ନିର୍ବାଚନ ଆୟୋଗର ସ୍ଥାୟୀ ଆଡଭୋକେଟ୍ ନିରଞ୍ଜନ ରାଜଗୋପାଳନ । ସେ କୋର୍ଟକୁ କହିଛନ୍ତି ଏହି ପୁନଃନିରୀକ୍ଷଣ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରା ବିହାରରେ ହୋଇଥିବା ଗାଇଡଲାଇନ ଅନୁରୂପ କରାଯିବ ।
ରାଜଗୋପାଳନ କହିଛନ୍ତି ଆୟୋଗ ପ୍ରଥମରୁ ହିଁ ସମଗ୍ର ଦେଶରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯଦ୍ୱାରା ସମସ୍ତ ରାଜ୍ୟରେ ସମାନ ପ୍ରକ୍ରିୟା ଆପଣା ଯାଇ ପାରିବ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ନିଜର ପକ୍ଷ ରଖିଛନ୍ତି ଇସିଆଇ । ଏହ ପିଆଇଏଲ ଏଆଇଡିଏମକେର ପୂର୍ବତନ ବିଧାୟକ ବି ସତ୍ୟନାରାୟଣନ ଦାୟର କରିଥିଲେ ।
ସତ୍ୟନାରାୟଣନ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଟି ନଗର ବିଧାନସଭାର ପ୍ରତିନିଧିତ୍ୱ କରି ସାରିଛନ୍ତି । ସେ ନିଜର ଯାଚିକାରେ ଅଭିଯୋଗ କରିଛନ୍ତି ଯେ, ୨୦୨୧ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ କ୍ଷେତ୍ରର ଭୋଟର ତାଲିକାରେ ବହୁତ ଗଡବଡ ହୋଇଛି । ଏଥିରେ ହଜାର ସଂଖ୍ୟକ ନାଁକୁ ଭୁଲ୍ ପ୍ରକ୍ରିୟାରେ ହଟାଇ ଦିଆଯାଇଥିଲା । ଏଥିରୁ ଅଧିକାଂଶ ଏଆଇଡିଏମକେର ସମର୍ଥକ ଥିଲେ ।
ସେ ଅଦାଲତକୁ ଜଣାଇଛନ୍ତି ଯେ, ୨୦୨୧ରେ ସେ ଡିଏମକେର ପ୍ରାର୍ଥୀ ଏମ କରୁଣାନିଧିଙ୍କଠୁ ମାତ୍ର ୧୩୭ ଭୋଟରେ ହାରିଥିଲେ । ଏତେ କମ ଭୋଟରେ ହାରିବା ଏବଂ ହଜାର ହଜାର ଭୁଲ ନାଁ ସାମିଲ କରାଯିବାରୁ ଏହା ସ୍ପଷ୍ଟ ହୋଇଛି ଯେ, ଭୋଟର ତାଲିକାରେ ଗମ୍ଭୀର ଅନିୟମିତତା ଥିଲା । ଆଉ ଏହା ନିର୍ବାଚନ ପରିଣାମକୁ ପ୍ରଭାବିତ କରିଛି । ତେଣୁ ଏସଆଇଆର କରାଯିବା ପୂର୍ବରୁ କୋର୍ଟ ଏହା ଉପରେ ତର୍ଜମା କରନ୍ତୁ ।
Also read: ମହାରାଷ୍ଟ୍ର ସହରର ନାମ ପରିବର୍ତ୍ତନ, କେନ୍ଦ୍ର ସରକାର କଲେ ଅନୁମୋଦନ