ଭୁବନେଶ୍ୱର: ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ଏହି ମାଣ୍ଡିଆ ଦିବସ ପାଳନ କରୁଛି। ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥର ମାଣ୍ଡିଆ ଦିବସ ଅବସରରେ ଓଡ଼ିଶା ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଏନେଇ ଶୁକ୍ରବାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ କେନ୍ଦ୍ର କୃଷିମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ।
ନଭେମ୍ବର ୧୦ ଏବଂ ୧୧ ଦୁଇ ଦିନ ଧରି ଏହି ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଚାଳିବ। ଉତ୍ସବ ମାଧ୍ୟମରେ ମାଣ୍ଡିଆର ପ୍ରଚାର ପ୍ରସାର ସାଙ୍ଗକୁ ବିଶ୍ୱ ବଜାରରେ ମାଣ୍ଡିଆ ଯେପରି ପହଞ୍ଚି ପାରିବ ସେନେଇ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।
ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ମାଣ୍ଡିଆକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ତଥା ମାଣ୍ଡିଆ ଚାଷୀଙ୍କ ଜୀବନ ଓ ଜୀବିକାର ବିକାଶ ଦିଗରେ ସହାୟ ହେବା, ଏହି ଦିବସ ପାଳନର ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଆଉଟ୍ଲେଟ୍ ଓ ମିଲେଟ୍ କାଫେ ଖୋଲାଯାଉଛି। ଜାତିସଂଘ ଦ୍ବାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି।