ଗଜପତି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓଙ୍କ ବଢ଼ିଲା ଅଡୁଆ । ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ସେହିଭଳି ସୌମ୍ୟଙ୍କ ରୋଷେୟା ମନ୍ମଥ କୁଣ୍ଡୁର ଆଗୁଆ ଜାମିନ ଆବେଦନ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ତେଣୁ ଆଗକୁ ଏମାନଙ୍କ ଲାଗି ଆଗକୁ ଅଡୁଆ ବଢ଼ିପାରେ । ତେବେ ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ମଧ୍ୟ ଏବେ ବି ବିଚାରଧୀନ ଅଛନ୍ତି। ଆଗକୁ ସେ ମଧ୍ଯ ଅସୁବିଧାରେ ପଡିପାରନ୍ତି । କାରଣ ଡିଏଫଓ ସଂଗ୍ରାମ କେଶରୀ, ରୋଷେୟା ମନ୍ମଥ କୁଣ୍ଡୁ ଏବଂ ବିଦ୍ୟାଭାରତୀଙ୍କ ନାଁରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ମାମଲା ରହିଛି। ଏହି ମାମଲାର ଶୁଣାଣି ହେବ ବୋଲି ଗତ ଜୁଲାଇ ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଗିରଫଦାରୀକୁ ରୋକିବା ଲାଗି ଉଭୟ ସଂଗ୍ରାମ କେଶରୀ ଏବଂ ମନ୍ମଥ କୁଣ୍ଡୁ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ । କିନ୍ତୁ ଉଭୟଙ୍କୁ ନିରାଶ ହେବାକୁ ପଡିଛି । ଉଭୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରୁ ଏସିଏଫ ସୌମ୍ୟରଞ୍ଜନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଥିଲା । କିନ୍ତୁ ଅଭିଯୁକ୍ତ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀଙ୍କ ସମେତ ରୋଷେୟା ମନ୍ମଥ କୁଣ୍ଡୁଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ପୁଣି ମାମଲା ଦାୟର କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ । ସମସ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ (ହତ୍ୟା) ଏବଂ ଆଇପିସି ୧୨୦ (ବି) ଅପରାଧିକ ଷଡ଼ଯନ୍ତ୍ର ଅନୁସାରେ ମକଦ୍ଦମା ଚାଲିବ ବୋଲି ନିମ୍ନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ୨୦୨୩ ମସିହାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ନନ୍ ବେଲେବୁଲ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମାନେ ସାମୟିକ ଆଶ୍ବସ୍ତି ପାଇଥିଲେ । କାରଣ ନିମ୍ନ ଅଦାଲତଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । କିନ୍ତୁ ଚଳିତ ବର୍ଷ ବିଦ୍ୟାଭାରତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ, ଏସ୍ଡିଜେଏମ୍ ପାରଳାଖେମୁଣ୍ଡିଙ୍କ ପ୍ରଥମ ନିର୍ଦ୍ଦେଶକୁ ରଦ୍ଦ କରିବା ଲାଗି ଆବେଦନ କଲେ । ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି । ତେଣୁ ଆଗକୁ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନେ ମଧ୍ଯ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଜନିତ ମାମଲାକୁ ସାମ୍ନା କରିବେ ବୋଲି ସୂଚନା ରହିଛି।