ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ପୋଲିସ ଛାଡିଛି । ଗତକାଲି ବିଳମ୍ବିତ ରାତିରେ ତିନି ଘଣ୍ଟା ପଚରା ଉଚୁରା ପରେ ଛାଡିଥିବା ଜଣା ପଡିଛି । ଅନ୍ୟପଟେ ସୁଟର କୁରୁପତି ଭୂୟାଁଙ୍କୁ ଆଶ୍ରୟ ଦେଇଥିବା ଫାର୍ମ ହାଉସ ମାଲିକ ସୁନୀଲ ହୋତାଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ଗତକାଲି ବୈଦ୍ୟନାଥପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ ସୁଦର୍ଶନ । ସେ ପୋଲିସକୁ ତଦନ୍ତରେ ସହଯୋଗ କରୁଥିବା ଜଣା ପଡିଛି । ଅତିରିକ୍ତ ଏସପି ଆଲୋକ ଜେନା ଓ ଟାଉନ ଥାନା ଏସଡିପି ତଥା ତଦନ୍ତକାରୀ ଅଧିକାରୀ ପ୍ରିୟରଞ୍ଜନ ଛୋଟରାୟ ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଜେନାଙ୍କୁ ପ୍ରାୟ ୩ ଘଣ୍ଟା ପଚରା ଉଚୁରା କରିଥିଲେ । ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ଛାଡିଥିବା ସୂଚନା ରହିଛି ।
ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁନୀଲ ହୋତାଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ତଥାପି ଏବେ ମଧ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଉମା ବିଷୋୟୀ ଘଟଣା ପରଠୁ ଫେରାର ଅଛନ୍ତି । ମାମଲାରେ ପୂର୍ବରୁ ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା । ଅନ୍ୟପଟେ ବିକ୍ରମ, ମଳୟ ଓ ମଦନ ଓକିଲଙ୍କ ଜରିଆରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଏହି ତିନି ଜଣ ଆଇନଜୀବୀ ହୋଇଥିବାରୁ ଏକାଧିକ ଓକିଲ ସେମାନଙ୍କ ପକ୍ଷରେ ତଳ କୋର୍ଟରେ ଜାମିନ ଆବେଦନ ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ପୀତବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ରାଜନୈତିକ, ଆର୍ଥିକ କାରଣରୁ ପୀତବାସଙ୍କୁ ହତ୍ୟା କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୬, କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ହିଁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା । ପୀତବାସଙ୍କ ଶରୀରରୁ ୯ ଏମ୍ଏମ୍ ଗୁଳି ବାହାରିଥିଲା । ଛାତି ଭେଦ କରି ତାଙ୍କ ମେରୁଦଣ୍ଡରେ ଗୁଳି ବାଜିଥିଲା । ପୀତବାସଙ୍କ ଶରୀରୁ ପ୍ରାୟ ୪ ଲିଟର୍ ରକ୍ତ ବୋହିଥିଲା । ଏହି ମାମଲାରେ ପ୍ରାୟ ୧୫ ଦିନ ଧରି ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିବା ସହିତ ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ରାଜପଥ ଯାଏ ୭୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା ।
Also read:ଯୋଗାଣ ବିଭାଗର ବଡ଼ ଘୋଷଣା;ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ, ୧୯ ଜିଲ୍ଲାରେ ଉପକୃତ ହେବେ ୨କୋଟି ୪୦ ଲକ୍ଷ ହିତାଧିକାରୀ