ନୂଆପଡା: ଉପନିର୍ବାଚନ ପାଇଁ ଦିନ ଯେତେ ଯେତେ ପାଖଉଛି, ନୂଆପଡା ରାଜନୀତି ସେତେ ରୋଚକ ସେତେ ରୋଚକ ହେବାରେ ଲାଗିଛି। କ୍ଷମତାରେ ଥିବା ବିଜେପି ପାଇଁ ଏହି ଉପନିର୍ବାଚନ ଅଗ୍ନି ପରୀକ୍ଷା ହୋଇଥିବାବେଳେ ପିସିସି ସଭାପତି ଦାୟିତ୍ବ ନେଇଥିବା ଭକ୍ତ ଦାସଙ୍କ ପାଇଁ ମଧ୍ୟ ଏହି ଉପନିର୍ବାଚନ ସମ୍ମାନ ରକ୍ଷାର ବିଷୟ ହୋଇଛି। ଆଉ ବିଜେଡି ନୂଆପଡ଼ାରେ ନିଜ ଗଡ଼ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରରର ଶେଷ ତାରିଖ ରହିଛି। ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫ ଜଣଙ୍କ ନାକଚ ହେବାରୁ ଏବେ ମଇଦାନରେ ଅଛନ୍ତି ୧୪ ପ୍ରାର୍ଥୀ।
କ୍ୟାମ୍ପେନିଂ ପାଇଁ ତିନି ଦଳ ତୁଙ୍ଗ ନେତା ସହ ଷ୍ଟାର ପ୍ରଚାରକ ପ୍ରସ୍ତୁତ ରହିଛନ୍ତି। ଯିଏ ଯାହାର ରଣନୀତି ଆରମ୍ଭ କରି ସାରିଛନ୍ତି। କିଏ ପୁରୁଣା କର୍ମୀଙ୍କୁ ଖୋଜୁଛି ତ କିଏ ବୁଥ୍ ଲେବେଲ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି। ଆଉ କିଏ ଖେଳୁଛି ଭିତିରିଆ ଗେମ୍। ହେଲେ ୧୯ ପ୍ରାର୍ଥୀଙ୍କ ଭିତରେ ପ୍ରମୁଖ ବିଜେପି, ବିଜେଡି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ରଣକୌଶଳ। ବିଜେପିରୁ ଜୟ ଢୋଲକିୟା, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ୱାର୍ଡ ୱାର୍ଡ ବୁଲି ପ୍ରଚାର ଚଲାଇଛନ୍ତି। ତିନି ଦଳ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି। ତିନି ପ୍ରାର୍ଥୀ ଡୋର ଡୁ ଡୋର କ୍ୟାମ୍ପେନିଂ କରୁଛନ୍ତି। ଜୟ ଢୋଲକିୟାଙ୍କ ପାଇଁ ରାଜ୍ୟର ଅନେକ ମନ୍ତ୍ରୀ ପ୍ରଚାର ମଇଦାନରେ ଅଛନ୍ତି। ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ନିଜ ନିଜର ବରିଷ୍ଠ ନେତାମାନେ ନୂଆପଡାରେ ଡେରା ପକାଇଛନ୍ତି। ଏବେ ନୂଆପଡା ମାଳ ମାଳ ନେତାରେ ଭର୍ତ୍ତି ହୋଇଯାଇଛି।
ଉପନିର୍ବାଚନ ଲାଗି ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ଆଉ ଦୁଇ ସପ୍ତାହର ସମୟ ରହିଛି। ବିଜେପି ପ୍ରାର୍ଥୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସଚିନ ପାଇଲଟ, କହ୍ନେୟା କୁମାର, ରେବନ୍ତ ରେଡ୍ଡୀଙ୍କ ପରି ନାଁ ଥିବା ବେଳେ ସେମାନେ କେବେ ପ୍ରଚାର କରିବେ ତାହା ଜଣାପଡିନି।
ନୂଆପଡାରେ ନଭେମ୍ବର ୧୧ରେ ଭୋଟ ହେବ ହେବାକୁଥିବା ବେଳେ ୧୪ ନଭେମ୍ବରରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ। ନୂଆପଡ଼ାର ରାଜନୈତିକ ଇତିହାସକୁ ଦେଖିଲେ ଏଠି ଯେତେ ଥର ଉପନିର୍ବାଚନ ହୋଇଛି, ସବୁ କଂଗ୍ରେସ ଦଳ ସପକ୍ଷରେ ଯାଇଛି। ହେଲେ ଏଥର କାହା ସପକ୍ଷରେ ଯିବ, ରାଜନୀତି ବିଶ୍ଳେଷକମାନେ ବି ଏନେଇ କିଛି ସ୍ପଷ୍ଟ ପୂର୍ବାନୁମାନ କରିପାରୁନାହନ୍ତି। ବାପାଙ୍କ ଆଦର୍ଶକୁ ନେଇ ‘ପଦ୍ମ’ ଧରିଥିବା ଜୟ ଢୋଲକିଆଙ୍କ ଜୟ ହେବ ନା ଆଦିବାସୀ ନେତା ଘାସିରାମ ଏଥର ଗଣିତ ବିଗାଡ଼ିବେ? ଏପଟେ ମହିଳା କାର୍ଡ ଖେଳି ସେହ୍ନାଙ୍ଗିନୀକୁ ମଇଦାନକୁ ଛାଡ଼ିଥିବା ବିଜେଡିର ବିଜୟ ବାନା ଉଡ଼ିବ କି? ତାକୁ ନେଇ ଏବେ ଚାଲିଛି ଅଙ୍କକଷା।