ନୂଆଦିଲ୍ଲୀ: ଭାରତ ଓ ଚୀନରେ ୨୦୨୩ରେ ପ୍ରଦୂଷିତ ବାୟୁରେ ନିଃଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ୨୦ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି । ଏହା ବ୍ୟତୀତ ବାଂଲାଦେଶ, ପାକିସ୍ତାନ, ନାଇଜେରିଆ ପରି ଦେଶରେ ମଧ୍ୟ ଦୁଇ ଲକ୍ଷଙ୍କ ମୃତ୍ୟୁ ଘଟିଛି । ଦୁନିଆର ବାୟୁ ଉପରେ ଅଧ୍ୟୟନ କରୁଥିବା ସଂସ୍ଥା ଷ୍ଟେଟ ଅଫ ଗ୍ଲୋବାଲ ଏୟାର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଇଣ୍ଡୋନେସିଆ, ମିଆଁମାର, ଇଜିପ୍ଟରେ ମଧ୍ୟ ଖରାପ ବାୟୁ କାରଣରୁ ସ୍ଥିତି ଖରାପ ରହିଛି । ଏସବୁ ଦେଶରେ ଗୋଟିଏ ବର୍ଷରେ ଏକ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ରିପୋର୍ଟରେ କୁହାଯାଇଛି ଯେ, ଦୁନିଆରେ ଅକାଳ ମୃତ୍ୟୁର ଦ୍ୱିତୀୟ ସବୁଠୁ ବଡ କାରଣ ବାୟୁ ପ୍ରଦୂଷଣ ପାଲଟିଛି । ପ୍ରଥମ ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ ରହିଛି ।
ବୋଷ୍ଟନ ସ୍ଥିତ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ, ଦୁନିଆର ୩୬ ପ୍ରତିଶତ ଜନସଂଖ୍ୟା ଗୁରୁତର ବାୟୁ ପ୍ରଦୂଷଣର ଶିକାର । ଡେମେନସିଆ ପରି ରୋଗ ମଧ୍ୟ ଏହି ସମସ୍ୟା କାରଣରୁ ବଢୁଛି । ୨୦୨୩ରେ ବାୟୁ ପ୍ରଦୂଷଣଜନିତ ରୋଗ କାରଣରୁ ସମଗ୍ର ଦୁନିଆରେ ୭୮ ଲକ୍ଷଙ୍କ ମୃତ୍ୟୁ ଘଟିଛି । ଏହି ପରି ଦୁନିଆରେ ହେଉଥିବା ପ୍ରତି ୮ ଜଣଙ୍କ ମୃତ୍ୟୁରେ ଜଣଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ହେଉଛି ।
ଏଥିରୁ ୪୯ ଲକ୍ଷ ଲୋକ ଏମିତି ଯିଏ ବାୟୁରେ ପିଏମ ୨.୫ ବଢିବା କାରଣରୁ ରୋଗର ଶିକାର ହୋଇଛନ୍ତି । ସବୁଠୁ କଥା ଏଥିରୁ ୨୮ ଲକ୍ଷ ଲୋକ ଏମିତି ଯେଉଁମାନେ ସାଧାରଣତଃ ଘରେ ରହୁଥିଲେ । ସବୁଠୁ ଖରାପ ଅବସ୍ଥା ଭାରତ ଓ ଚୀନର । ଦୁଇ ଦେଶରେ ୨୦୨୩ରେ ୨୦-୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ଘଟିଛି । ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣରେ ହୋଇଥିବା ମୃତ୍ୟୁର ୯୦ ପ୍ରତିଶତ ଏସିଆ ମହାଦେଶର ।
ଋିପୋର୍ଟରେ କୁହାଯାଇଛି, ହାର୍ଟ ସମ୍ବନ୍ଧିତ ରୋଗ, ଡିମେନସିଆ ଓ ଡାଏବେଟିସ ପରି ସମସ୍ୟା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ହେଉଛି । ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ଫୁସଫୁସ ରୋଗୀଣା ହୋଇ ପଡୁଛି ଏବଂ ସେମାନେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି । ଏହା ବ୍ୟତୀତ ୨୫ ପ୍ରତିଶତ ହୃଦଜନିତ ରୋଗ ବାୟୁ ପ୍ରଦୂଷଣ କାରଣରୁ ହୋଇଛି । ଖରାପ ବାୟୁ ମଧ୍ୟ ଡାଏବେଟିସ ବା ମେଧୁମେହର କାରଣ ପାଲଟିଛି । ସବୁଠୁ ଅଧିକ ବାୟୁ ପ୍ରଦୂଷଣର ସାମ୍ନା କରୁଥିବା ଦେଶ ହେଉଛି ଭାରତ, ଚୀନ, ବାଂଲାଦେଶ, ପାକିସ୍ତାନ, ବ୍ରାଜିଲ ଓ କିଛି ଆଫ୍ରିକା ଦେଶ ସାମିଲ୍ ।
Also read: ୟୁପିର ଧର୍ମାନ୍ତରଣ ବିରୋଧୀ ଆଇନ ଉପରେ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ, କହିଲେ-ଭାରତ ଏକ ସେକୁଲାର ଦେଶ