ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲାଗୁ ଧର୍ମାନ୍ତରଣ ବିରୋଧୀ ଆଇନକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଅଦାଲତ କହିଛନ୍ତି ଏହି ଆଇନ ଜରିଆରେ ନିଜର ଧର୍ମ ବଦଳାଇବାକୁ ଇଚ୍ଛୁକ ଲୋକଙ୍କ ରାସ୍ତା କଠିନ ହୋଇଯିବ । ବିଚାରପତି ଜେବି ପାରଦିୱାଲା ଓ ବିଚାରପତି ମନୋଜ ମିଶ୍ରଙ୍କ ପୀଠ କାହାର ଧର୍ମ ପରିବର୍ତ୍ତନ କରିବାର ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଓ ହସ୍ତକ୍ଷେପକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।
ପୀଠ କହିଛନ୍ତି, ଏମିତି ଲାଗୁଛି ଆଇନ ଏଥିପାଇଁ ତିଆରି କରାଯାଇଛି ଯଦ୍ୱାରା କାହାରି ଧର୍ମ ପରିବର୍ତ୍ତନ ସମୟରେ ସରକାରୀ କଳର ହସ୍ତକ୍ଷେପ ରହି ପାରିବ । ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉତ୍ତର ପ୍ରଦେଶର ଧର୍ମାନ୍ତରଣ ବିରୋଧୀ ଆଇନର ବୈଧତା ଉପରେ କୋର୍ଟ ବର୍ତ୍ତମାନ ବିଚାର କରିବେ ନାହିଁ । ପୀଠ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଯେ କେହି ବି ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତ୍ତନ କରି ପାରିବେ ।
ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଉତ୍ତର ପ୍ରଦେଶର ଧର୍ମାନ୍ତିକରଣ ଅଧିନିୟମର ପ୍ରାବଧାନର ସାମ୍ବିଧାନିକ ବୈଧତା ଉପରେ ବିଚାର କରିବା ଆମ ପରିଧିରେ ନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ, ଆଇନ ନିୟମ ସରକାରୀ କଳର ଦଖଲକୁ ବଢାଇବା ପାଇଁ କରାଯାଇଛି। ଏପରିକି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆଇନଗତ ଭାବେ ଧର୍ମାନ୍ତରିକରଣର ପ୍ରତ୍ୟେକ ମାମଲାରେ ପୋଲିସ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ବାଧ୍ୟ କରାଯାଇଛି ।
ଏହା ବ୍ୟତୀତ ଅଦାଲତ ଧର୍ମାନ୍ତରଣ ପରେ ଘୋଷଣାର ବାଧ୍ୟତାମୂଳକ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ପୀଠ କହିଛନ୍ତି, କିଏ କେଉଁ ଧର୍ମ ସ୍ୱୀକାର କରିବ ଏହା ବ୍ୟକ୍ତିର ବ୍ୟକ୍ତିଗତ ମାମଲା । ଏହି ସମ୍ବନ୍ଧରେ ଘୋଷଣା କରିବାକୁ ବାଧ୍ୟ କରିବା ବ୍ୟକ୍ତିଗତ ଅଧିକାର ବିରୋଧୀ । ଏହା ଚିନ୍ତା କରିବାର ବିଷୟ ଯେ, କାହିଁକି ଜଣେ ଜଣାଇବ ଯେ, ସେ ନିଜର ଧର୍ମ ପରିବର୍ତ୍ତନ କରୁଛନ୍ତି ।
Also read: ଦିଲ୍ଲୀ ବଜାରରେ ବୋମାମାଡ଼ ଆକ୍ରମଣ ଷଡ଼ଯନ୍ତ୍ର ବିଫଳ, ଦୁଇ ଜଣ ଆତଙ୍କବାଦୀ ଗିରଫ