ଭୁବନେଶ୍ୱର: ଆସୁଛି ପଛକୁ ପଛ ଲଘୁଚାପ। ଗୋଟିଏର ପ୍ରଭାବ ସରି ନଥିବା ବେଳେ ଆସୁଛି ଆଉ ଗୋଟିଏ। ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଶୁକ୍ରବାରକୁ ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ହେବ ।
ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୭ ଓ ୨୮ରେ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ଅଛି । ଏଥିପାଇଁ ୧୨ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଶୁକ୍ରବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୟାଗଡ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି । ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।