ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ୩୦ ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସ ଭିତରେ ଜମି ମିଳିବ। ଜମି ମିଳିଲେ ୩ ରୁ ୪ ମାସ ଭିତରେ କାମ ଆରମ୍ଭ ହେବ। ୩୦ ରୁ ୪୦ ହଜାର ଲୋକ କାମ ପାଇବେ। ପ୍ରକଳ୍ପ କାମ ୩ ରୁ ସାଢେ ୩ ବର୍ଷ ଲାଗିବ'।
ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏଥି ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍ରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି। ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ।
ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍ ପାର୍କ ପ୍ରତିଷ୍ଠା କରାଯିବ। ସେହିପରି ବେଦାନ୍ତ ମୁଖ୍ୟ ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, 'ସବୁ ରାଜ୍ୟ ମୋ ପଛରେ ପଡ଼ିଛନ୍ତି। କିନ୍ତୁ ମୋ ହୃଦୟରେ ଓଡ଼ିଶା ଅଛି। ଆନ୍ଧ୍ର ବିହାର ସବୁବେଳେ ଲାଗିଛନ୍ତି। ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି। ଜମି ଆମର ଅଛି।ଓଡ଼ିଶା ଲୋକଙ୍କ ସମର୍ଥନ ଦରକାର। ଦୁଇ ଲକ୍ଷ କୋଟିର ପ୍ରକଳ୍ପ। ସୁପ୍ରିମକୋର୍ଟ ରାୟକୁ ସମୀକ୍ଷା କରିବୁ। ଓଡ଼ିଶା ଲୋକ ସାଥିରେ ରହିଲେ ସାଙ୍ଗରେ ଆଗକୁ ଯିବା। ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ। କହିଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ତ ଓଡ଼ିଶାରେ ହିଁ ହେବ। ଆପଣଙ୍କୁ ଆଉ କେଉଁଠି ଯିବାର ଆବଶ୍ୟକତା ନାହିଁ। ପୁରୀରେ ହେବ କି କେଉଁଠି ହେବ ଆମେ ଓଡ଼ିଶା ଲୋକଙ୍କ ଜନମତ ସହ କରିବୁ'।
ଆଜି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନୀର ପୁଞ୍ଜି ବିନିଯୋଗ ଜରିଆରେ ଓଡିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ। ଆମର ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ। ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ପୁଞ୍ଜି ନିବେଶ ଏକ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।