ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ବିଭିନ୍ନ କାଳୀମଣ୍ଡପ । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନରେ ସିଂହବହିନୀ ବେଶର ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଶହ ଶହ ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ବେଶରେ ମାଙ୍କୁ ଦର୍ଶନ କଲେ ମଯ୍ୟାଦା, ଯଶ , କୀର୍ତ୍ତି ପ୍ରାପ୍ତି ହୋଇଥାଏ ।
ସିଂହବାହିନୀ ବେଶରେ ମା’ ନାଲି ପାଟ ବସ୍ତ୍ର ପରଧାନ କରି ସ୍ଵର୍ଣ୍ଣ ରୂପା ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜାଇ ହୋଇଥିଲେ । ସିଂହର ପୃଷ୍ଠ ଦେଶରେ ବିରାଜ ମାନ କରି ତ୍ରିଶୂଳ, ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ । ମା’ଙ୍କର ଚତୁର୍ଦ୍ଧା ମୂର୍ତ୍ତି ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା। ଭକ୍ତମାନେ ଦିପ ,ଧୂପ ନୈବେଦ୍ୟ ଅର୍ପଣ କରି ମାଙ୍କର ଆଶିଷ ଲାଭ କରିଥିଲେ । ତେବେ ସପ୍ତଚଣ୍ଡିପାଠ ,ଗିତା ପାଠ ସମେତ ବ୍ରାହ୍ମଣ ମାନଙ୍କର ବେଦପାଠ ଧ୍ୱନି ରେ ପିଠରେ ଏକ ନିଆରା ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହୋଇଥିବା ବେଳେ ପଞ୍ଚମ ଦିନରେ ମା ଜଗଧାତ୍ରି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।