ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖରେ ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି । ୨୫ ଓ ୨୬ରେ ଉପକୂଳ ସମେତ ଊପକୂଳକୁ ଲାଗିଥିବା ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୭ ଓ ୨୮ ରେ ବି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।
ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ । ତାଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ବି କରିଛି ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ସମ୍ଭାବ୍ୟ ବାତ୍ୟାର ସୂଚନା ନାହିଁ । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଭଲ ଚାଷ ହୋଇଛି । ଚାଷୀ ଭାଇମାନେ ବିଭ୍ରାନ୍ତିକର ତଥ୍ୟ ଶୁଣି ଭୟଭିତ ନହେବାକୁ ପରାମର୍ଶ ଦିଆଯାଇଛି । କିଛି ଅସୁବିଧା ହେଲେ ୧୫୫୩୩୩ ଟୋଲ ଫ୍ରି ନମ୍ବରକୁ କଲ କରି କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।