କେନ୍ଦୁଝର: ବାଘ ଛାଲ ବିକ୍ରି ପାଇଁ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ଧରିଲା ବନ ବିଭାଗ। କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ୨ ଜଣ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଠାକୁରମୁଣ୍ଡା ଅଞ୍ଚଳରୁ ବାଘ ଶିକାର କରିବା ପରେ କେନ୍ଦୁଝର ନିକଟସ୍ଥ ଜୁଡ଼ିଆ ଘାଟି ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ଏନେଇ ଖବର ପାଇ କେନ୍ଦୁଝର ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢଉ କରିଥିଲା। ଚଢଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ରବୀନ୍ଦ୍ର ଟୁଡ଼ୁ ଓ ମନୂଆ ହେମ୍ରମ । ବନ ବିଭାଗ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।