ଭୁବନେଶ୍ୱର: ଏଣିକି ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଆଉ ମନ ଇଚ୍ଛା ରାସ୍ତାକଡ଼ରେ ଉଠା ଦୋକାନୀ ବ୍ୟବସାୟ କରିପାରିବେନି। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି ବିଏମସି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସପ୍ତାହକ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ ବୋଲି ବିଏମସି କହିଛି। ଆଜି ଭୁବନେଶ୍ୱର ୟୁନିଟ- ୧ ହାତ ପାଖରେ ଗଣ ସଫେଇ ଅବସରରେ ଏହା କହିଛନ୍ତି ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି। ସେ କହିଛନ୍ତି ସଫେଇ ବେଳେ ରାସ୍ତାକଡ଼ରେ ପଡ଼ି ରହିଥିବା ଉଠାଦୋକାନୀଙ୍କ ଜିନିଷକୁ ଖାଲି କରାଯାଇଥିଲା।
ବ୍ୟବସାୟୀମାନେ ଡ୍ରେନ ଉପରେ ଜିନିଷ ରଖି ବେପାର କରୁଛନ୍ତି। ଫଳରେ ଡ୍ରେନ ସଫେଇରେ ସମସ୍ୟା ହେଉଛି। ଅନ୍ୟପଟେ ରାସ୍ତା ଜାମ ହେଉଛି। ତେଣୁ ଉଠାଦୋକାନୀଙ୍କୁ ବୁଝାଇବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିଛି ବିଏମସି। ଭୁବନେଶ୍ବରରେ ହାଟ ବଜାର ଅଂଚଳକୁ ବ୍ୟବସ୍ଥିତ କରାଇବା, ଜନସାଧାରଣ ଓ ବ୍ୟବସାୟୀଙ୍କ କାରବାର ତଥା ଚଳାଚଳକୁ ଗୁରୁତ୍ୱ ଦେଇ ଏହି ଗଣ ସଫେଇ କରିଛି ବିଏମ୍ସି ।
ମହିଳା ଥାନାଠାରୁ ଆରମ୍ଭ କରି ହାଟ ଅଂଚଳରେ ଗଣ ସଫେଇ, ଡାଳ କଟା, ଡ୍ରେନ ସଫା, କବାଡି ସାମଗ୍ରୀ ପରିଷ୍କାର, ଜବର ଦଖଲ ଉଚ୍ଛେଦ ଆଦି କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମେୟର, କମିଶନର, ସ୍ଥାନୀୟ କର୍ପୋରେଟରଙ୍କ ସମେତ ଟିମ୍ ବିଏମ୍ ସି, ସଫେଇ କର୍ମୀ, ୟୁନିଟ୍- ୧ ହାଟ ଆସୋସିଏସନର ବହୁ କର୍ମକର୍ତ୍ତା, ସ୍ଥାନୀୟ ବାସିନ୍ଦା, ସ୍ୱେଚ୍ଛାସେବୀ, ପ୍ରମୁଖ ସାମିଲ ହୋଇଥିଲେ।