ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲାକ ଚାଟିକଣା ପଞ୍ଚାୟତ ବାରିଗୁଡ଼ା ଗ୍ରାମସ୍ଥିତ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆକ୍ରାନ୍ତରେ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଛି । ଖାଲି ସେତିକି ନୁହେଁ ଆହୁରି ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣକ ହେଲେ ଲଗ୍ନା ଉରଲାକା (୧୦) । ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତ୍ରି ଭୋଜନରେ ହଷ୍ଟେଲରେ ପିଲାଙ୍କୁ ଚାରୁ ପାଣି ଏବଂ ଶାଗୁ ଖାଇବାକୁ ଦିଆଯାଇଥିଲା । ହଠାତ୍ ରାତିରେ ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଝାଡ଼ା ଏବଂ ବାନ୍ତି ହୋଇଥିଲା । ଜଣକ ପରେ ଜଣେ ଛାତ୍ରୀ ଏଭଳି ଅଭିଯୋଗ କରିଥିଲେ । ସମସ୍ତଙ୍କୁ ବିଳମ୍ବିତ ରାତିରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ଏତେ ସଂଖ୍ୟକ ଛାତ୍ରୀ ଥିବା ଦେଖି ଲଗ୍ନା ଉରଲାକାର ପରିବାର ଲୋକେ ତାଙ୍କୁ ଘରକୁ ନେଇାଯାଇଥିଲେ । ତେବେ ଘରେ ଆଜି ସକାଳୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣାପଡ଼ି ନାହିଁ । ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।