ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଏକ ସହଯୋଗୀ ଦଳର ସାଂସଦ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ରୋକ୍ ଲଗାଇବା ପାଇଁ ପ୍ରସ୍ତାବ ରଖିଛନ୍ତି । ସାଂସଦ ଜଣକ ପ୍ରସ୍ତାବରେ କହିଛନ୍ତି ଯେ, ୧୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରସ୍ତୁତ କରିବା ଏବଂ ଚଲାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଉ । ଏହି ଦାବି ଏମିତି ସମୟରେ ଉଠିଛି ଯେତେବେଳେ ଭାରତରେ ସୋସିଆଲ ମିଡିଆ ପ୍ରଚଳନ ବଢିବାରେ ଲାଗିଛି ।
ଏହି ପ୍ରସ୍ତାବ ତେଲୁଗୁ ଦେଶମ ପାର୍ଟିର ସାଂସଦ ଏଲଏସକେ ଦେବରାୟଲୁ ରଖିଛନ୍ତି । ସେ ଶୁକ୍ରବାର କହିଛନ୍ତି ପିଲାମାନଙ୍କର ସୋସିଆଲ ମିଡିଆ ପ୍ରତି ନିଶା ବଢିବାରେ ଲାଗିଛି । ପୁଣି ବିଦେଶି କମ୍ପାନିମାନେ ଏଆଇ ସିଷ୍ଟମ ବିକଶିତ କରିବାରେ ଲାଗିଛି । ଏହାକୁ ଆକର୍ଷଣ କରି ଯୁବପିଢିଙ୍କୁ ଆକର୍ଷିତ କରାଯାଉଛି । ସୋସିଆଲ ମିଡିଆ ଛୋଟ ଛୋଟ ପିଲାଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି । ସେମାନଙ୍କର ଶୈଶବକୁ ଛଡାଇ ନେଉଛି । ଏହା ସେମାନଙ୍କର ଭବିଷ୍ୟତ ଯୋଜନା ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଉଛି ।
ସେ ଏହା ମଧ୍ୟ କହିଛନ୍ତି ଯେ, ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ନିକଟରେ ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହାକୁ ଅଷ୍ଟ୍ରେଲିଆର ଅଭିଭାବକମାନେ ମଧ୍ୟ ସମର୍ଥନ କରିଛନ୍ତି । ଅନ୍ୟପଟେ ବ୍ରିଟେନ, ଡେନମାର୍କ ଓ ଗ୍ରୀସ ଭଳି ଦେଶ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତର ସହ ଅଧ୍ୟୟନ କରୁଛନ୍ତି । ଜର୍ମାନୀରେ ଏହାକୁ ନେଇ ବିତର୍କ ଜାରି ରହିଛି । ତେଣୁ ସମୟ ଆସିଛି ଭାରତ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତୁ ।
Also read: ମୁସଲମାନଙ୍କୁ ଗାଳି ଦେଇ ହିନ୍ଦୁ ରାଷ୍ଟ୍ର ନିର୍ମାଣ ହୋଇ ପାରିବନି: ଧୀରେନ୍ଦ୍ର ଶାସ୍ତ୍ରୀ