ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଫେବୃଆରୀ ୧ରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସାଧାରଣ ବଜେଟ୍ ଆଗତ କରିବେ । ପ୍ରଥମ ଥର ନିର୍ମଳା ରବିବାର ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ୍ ଉପରେ ପ୍ରତିଟି ବର୍ଗଙ୍କ ଆଶା ରହିଛି । ବିଶେଷ କରି କେନ୍ଦ୍ରୀୟ କର୍ମଚାରୀଙ୍କ ନଜର ଅର୍ଥମନ୍ତ୍ରୀଙ୍କ ଭାଷଣ ଉପରେ ରହିବ । ଅଷ୍ଟମ ବେତନ ଆୟୋଗଙ୍କ ଆନୁଷ୍ଠାନିକ ଗଠନର ପ୍ରାୟ ତିନି ମାସ ପରେ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି ।
୧୮ ମାସର ସମୟ ସୀମା
ବେତନ ଆୟୋଗଙ୍କୁ ନିଜର ରିପୋର୍ଟ ପ୍ରସ୍ତୁତ ପାଇଁ ୧୮ ମାସର ସମସ ସୀମା ଦିଆଯାଇଛି । ଯଦି କେନ୍ଦ୍ର ସରକାର ସଂଶୋଧିତ ବେତନ ଓ ପେନସନର ବିତ୍ତୀୟ ପ୍ରଭାବକୁ ବହନ କରିବା ପାଇଁ ଏକ ରାଶି ଆବଣ୍ଟିତ କରିବାକୁ ନିର୍ଣ୍ଣୟ ନିଅନ୍ତି ତେବେ ଅଷ୍ଟମ ବେତନ ଆୟୋଗକୁ ନିଜର କାମ ଶୀଘ୍ର ସାରିବାକୁ ପଡିବ । ଉଲ୍ଲେଖନୀୟ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ଏକ କୋଟି ୧୦ ଲକ୍ଷ । ଏସବୁ ଲୋକେ ଅଷ୍ଟମ ବେତନ ଆୟୋଗର ସୁପାରିସ ଲାଗୁ ହେବାକୁ ଅପେକ୍ଷା କରି ରହିଛନ୍ତି । ଯଦି ବଜେଟରେ କିଛି ସକରାତ୍ମକ ସଙ୍କେତ ମିଳେ ତେବେ ଆୟୋଗ ୨୦୨୭ ଶେଷ ସୁଦ୍ଧା କିମ୍ବା ଏହାର ବହୁ ସମୟ ପୂର୍ବରୁ ନିଜର ରିପୋର୍ଟ ପ୍ରସ୍ତୁତ କରି ପାରନ୍ତି ।
ରାଜକୋଷ ଉପରେ ପ୍ରଭାବ
ସପ୍ତମ ବେତନ ଆୟୋଗ ଲାଗୁ ହେବାରୁ ୨୦୧୭ରେ ରାଜକୋଷ ଉପରେ ପ୍ରାୟ ୧.୦୨ ଲକ୍ଷ କୋଟିର ଅତିରିକ୍ତ ବ୍ୟୟଭାର ପଡିଥିଲା । ସେହି ସମୟରେ ମୂଳ ବେତନ ଏବଂ ପେନସକୁ ୨.୫୭(୧୫୭ ପ୍ରତିଶତ)ର ଫିଟମେଣ୍ଟ ଆଧାରକୁ ଉପଯୋଗ କରି ସଂଶୋଧନ କରିଥିଲେ । ତେବେ ଅଷ୍ଟମ ବେତନ ଆୟୋଗ ମାମଲାରେ ଫିଟମେଣ୍ଟର ଫର୍ମୁଲା କଣ ରହିବ ତାହା ଦେଖିବାକୁ ବାକି ରହିଲା ।
Also read: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ କି?