ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏକ ଚିଟ୍ ଫଣ୍ଡ ଠକେଇ ମାମଲାରେ ଜଣେ ପଳାତକ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରିଛି । ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜାଲିଆତି ମାମଲାରେ ନଦିଆରୁ ତନ୍ମୟ ମିର୍ଦ୍ଧାକୁ ଗିରଫ କରାଯାଇଛି ।
ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା କୋଲକାତାର ମେସର୍ସ ଏକ୍ସପ୍ରେସ୍ କଲଟିଭେସନ୍ ଲିମିଟେଡର ନିର୍ଦ୍ଦେଶକ ଅଟନ୍ତି । ନିବେଶ ବାହାନାରେ ପ୍ରାୟ ୨.୧ କୋଟି ଟଙ୍କା ଜାଲିଆତି କରି ଲୋକଙ୍କୁ ଠକିଥିଲେ । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଚିଟ୍ ଫଣ୍ଡ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ୨୩ ଜୁନ ୨୦୨୦ରେ ଏହି ମାମଲା ରୁଜୁ କରିଥିଲା । ତଦନ୍ତ ସମାପ୍ତ ହେବା ପରେ ସିବିଆଇ ୪ ଫେବ୍ରୁଆରୀ ୨୦୨୨ ରେ ଚାର୍ଜସିଟ୍ ଦାଖଲ କରିଥିଲା। ଅଭିଯୁକ୍ତ ତଦନ୍ତରେ ସହଯୋଗ ଦେଇ ନଥିଲେ । ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। କୋଲକାତାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ। ଦୀର୍ଘ ବର୍ଷ ପରେ ସିବିଆଇ ଅଭିଯୁକ୍ତ ତନ୍ମୟକୁ ୨୯ ଜାନୁଆରୀ ୨୦୨୬ ରେ ନଦିଆ ଜିଲ୍ଲା ବ୍ରହ୍ମା ନଗରରୁ ଗିରଫ କରିଛି ।