ପୁରୀ: ଆସନ୍ତା ୨ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ତାଙ୍କର ୬ ଦିନିଆ ଗସ୍ତରେ ୩ ତାରିଖ ଦିନ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ହେଲିପ୍ୟାଡରେ ଅବତରଣ କରି ସିଧାସଳଖ ଲୋକଭବନ ଅଭିମୁଖେ ଯିବେ ଏବଂ ସେଠାରେ ରାତ୍ର ଯାପନ କରିବେ । ପରଦିନ ୪ ତାରିଖରେ ରାଷ୍ଟ୍ରପତି ସକାଳ ୭ଟାରେ ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିଣ୍ଡଦାନ କରିବେ । ଏହା ପରେ ସକାଳ ୭ଟା ୪୦ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ, ଶ୍ୱେତଗଙ୍ଗା ପୁଷ୍କରିଣୀ ଚତୁପାର୍ଶ୍ୱ, ଶ୍ରୀମନ୍ଦିର ଭିତର-ଵାହାର ଓ ସମ୍ପୂର୍ଣ୍ଣ ପୁରୀ ସହରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ-ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି ପ୍ରତୀକ ସୂଚନା ଦେଇଛନ୍ତି । କହିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସହରର ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ । ସେହିପରି ସ୍ଵତନ୍ତ୍ର ୟୁନିଟ , ଏଣ୍ଟି ଡ୍ରୋନ୍ ୟୁନିଟ୍, ଏଣ୍ଟି ସାବଟୋବେଜ୍ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ ହେବା ସହି ସହରରେ ରାତ୍ରି କାଳୀନ ନାକାବନ୍ଦୀକୁ କଡାକଡି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ହୋଟେଲ ,ଲଜିଂ ତନଖି କରାଯାଇଛି । ସହରର ବିଭିନ୍ନ ଜନଗହଳି ଜାଗା ସମେତ ହୋଟେଲ୍,,ରାସ୍ତାଘାଟ ଯାଞ୍ଚ ପରେ ଆଜି ପୁରୀ ପୋଲିସ, ଜିଆରପି ଏବଂ ଆରପିଏଫ୍ ତରଫରୁ ରେଳଷ୍ଟେସନରେ କଡାକଡି ଯାଞ୍ଚ କରାଯାଇଛି। ଡଗ୍ ସ୍କ୍ୱାଡ୍ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ରୁଟ୍ ରେ ସାଧାରଣ ଯାତାୟାତ ବନ୍ଦ ରହିବ । ରୁଟ ଲାଇନ୍ ଏରିଆକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୁରୀ ଏସପି ।