କଟକ: ପୁଣି ଅଧାରୁ ବନ୍ଦ ହେଲା CMC ବୈଠକ। ପ୍ରବଳ ହୋ-ହଲ୍ଲା ଓ ହଟ୍ଟଗୋଳ ଭିତରେ ବୈଠକ ଛାଡ଼ି ପଳାଇଲେ ମେୟର ଓ କମିଶନର। କଟକ ମହାନଗର ନିଗମର ଆଜି ୩୮ ତମ କାଉନସିଲ ବୈଠକ ହୋଇଥିବା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବୈଠକ ବେଳେ ଗରମାଗରମ ଯୁକ୍ତି ଦେଖିବାକୁ ମିଳିଥିଲା। ସହରୀକରଣ ଯୋଜନା ଉପରେ ଗୁରୁତ୍ୱାପୋରପ ଚାଲିଥିବା ବେଳେ ପୂର୍ବଭଳି କାଉନସିଲ୍ ବୈଠକ ଅଧାରୁ ବନ୍ଦ ହୋଇଛି।
ଆଜି ସିଏମସି ବୈଠକ ବେଳେ ୫୮ ନମ୍ବର ୱାର୍ଡ କାଉନସିଲର୍ ପ୍ରତିବାଦ କରିଥିଲେ। ତାଙ୍କ ୱାର୍ଡରେ ଥିବା ସମସ୍ୟାକୁ ନେଇ ପାଟିତୁଣ୍ଡ କରିଥିଲେ କଂଗ୍ରେସ କର୍ପୋରେଟର। ଯାହାକୁ ନେଇ ସିଏମସି କାଉନସିଲ୍ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ନିଜ ଅଞ୍ଚଳର ସମସ୍ୟା ନେଇ ସ୍ଵର ଉଠାଇଥିଲେ। ୫୮ ନମ୍ବର ୱାର୍ଡର କର୍ପୋରେଟର୍ କହିଛନ୍ତି, "ସମସ୍ୟା ନେଇ ସମସ୍ତଙ୍କୁ ଜଣାଇଛି, ସମାଧାନ ହେଉ ନାହିଁ। ଏଠି ଅଫିସର୍ ରାଜ ଚାଲିଛି।" ତେବେ ଏହାକୁ ନେଇ ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ଯାହାଫଳରେ ବୈଠକ ଅଧାରୁ ମେୟର ଓ କମିଶନର ଛାଡି ପଳାଇଥିବା ଦେଖିବାକୁ ମିଳିଛି।
ବିଶୃଙ୍ଖଳା ମଧ୍ୟରେ ବୈଠକ ସ୍ଥଗିତ
ବିବାଦ ତୀବ୍ର ହେବା ପରେ, ମେୟର ଏବଂ ସିଏମସି କମିଶନର ପରିଷଦ ହଲରୁ ବାହାରି ଆସିଲେ, ଯାହା ଫଳରେ ବୈଠକ ସ୍ଥଗିତ ରଖାଯାଇଥିଲା। ଏହି ବାଧା ପୁଣି ଥରେ ନାଗରିକ ସଂସ୍ଥାର କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଉଦ୍ଦିଷ୍ଟ ପରିଷଦ ବୈଠକ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି।
ଅନ୍ୟପଟେ ସିଏମସି ମେୟର ସୁବାସ ସିଂ କହିଛନ୍ତି, "ବୈଠକ ଅଧାରୁ ସରି ନାହିଁ। ଆମର ମୁଖ୍ୟ ଥିଲା ପ୍ରସ୍ତାବ ପାରିତ। ୱାର୍ଡ ପ୍ରସଙ୍ଗ ନେଇ ଆଲୋଚନା କରିଛୁ। କେନ୍ଦ୍ରୀୟ ପ୍ରକଳ୍ପ ଉପରେ ବିତର୍କ ଥିଲା, ତାହା ସରିଛି। ପୁଣି ଥରେ ଫେବ୍ରୁଆରୀ ୧୫ ତାରିଖ ଭିତରେ ବୈଠକ ବସିବ।"
କର୍ପୋରେଟର ଅନ୍ୟ ସମୟରେ ମେୟର, କମିଶନରଙ୍କୁ ଭେଟି ଆଲୋଚନା କରୁଛନ୍ତି। ଆମେ ଅଫିସ୍ରେ ବସୁଛୁ, ଭେଟି ଆଲୋଚନା କରିପାରିବେ। ବୈଠକରେ ଏଭଳି ଧାରଣା ଦେବା ଅନୁଚିତ୍ ବୋଲି କହିଛନ୍ତି ମେୟର। ନିର୍ବାଚିତ ପ୍ରତିନିଧି ପ୍ରତିବାଦ କରିବାର ଅଧିକାର ରହିଛି। ଆଜିର ବୈଠକରେ ୱାର୍ଡ ସମସ୍ୟା ଆଲୋଚନା ହେବାର ନଥିଲା। କିନ୍ତୁ କର୍ପୋରେଟର ଚାହିଁଲେ ଆମକୁ ଭେଟି ଅନ୍ୟ ସମୟରେ ଆଲୋଚନା କରିପାରିବେ ବୋଲି କହିଛନ୍ତି ମେୟର।
ଅଧିକ ପଢନ୍ତୁ: ଅଧିକ କଥା ହେବାର ଅଛି ତ ଗୃହରୁ ବାହାରି ଯାଆନ୍ତୁ, ସାଂସଦଙ୍କ ପ୍ରତି କ୍ଷୁବ୍ଧ ବାଚସ୍ପତି ଓମ ବିର୍ଲା