କଟକ SCB ଟ୍ରାଜେଡିରେ ବଡ଼ ଆକ୍ସନ ନିଆଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବନ କରାଯାଇଛି। ନିଲମ୍ୱିତ ଅଧିକାରୀମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ ବେହେରା,ଏସ୍.ସି.ବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ରଞ୍ଜନ କୁମାର ବିଶ୍ୱାଳ।
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅକାଳରେ ଅନେକ ଜୀବନ ଯାଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଖବର ପାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସସିବିରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ। ଏହାସହ ଏହି ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
କଟକ ଏସ୍.ସି.ବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ ରାଜ୍ୟସରକାର। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରେ ଅବହେଳା ଯୋଗୁଁ ଚାରି ଜଣ ଅଧିକାରୀଙ୍କୁ ଉପରେ ଆକ୍ସନ ନିଆଯାଇ ନିଲମ୍ୱିତ କରାଯାଇଛି।