ଭୁବନେଶ୍ୱର: ଆଜି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆସନ୍ତକାଲି ଅବପାତର ରୂପ ନେବ। ୨୬ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ୨୮ ଓ ୨୯ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବ।
ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଅଧିକ ରହିଛି। ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।