ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଝାଡ଼ଖଣ୍ଡ ଚାଇଲଡ୍ କମିସନଙ୍କ ଟିମ୍ ଭୁବନେଶ୍ୱରରେ ପହଂଚି ତଦନ୍ତ କରୁଛି। କ୍ୟାପିଟାଲ ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଘଟଣାକ୍ରମ ସଂପର୍କରେ ଆଲୋଚନା କରିଛନ୍ତି। ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ JSCPCR(Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ ପଚରାଉଚୁରା କରିଛନ୍ତିI ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଝାଡ଼ଖଣ୍ଡ ଟିମ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୁଲିସ ଠାରୁ ନେଇଥିବା ସୂଚନା ମିଳିଛି I
ସେପଟେ ଏହି ଘଟଣାରେ ସଂପୃକ୍ତ ଥିବା କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କେଉଁମାନେ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ କମିସନରେଟ୍ ପୁଲିସ ତଦନ୍ତ ଜାରି ରଖିଛି। କମିସନରେଟ୍ ପୁଲିସ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ‘ନିବାସ’କୁ ବେଶ୍ୟାଳୟ ଘୋଷଣା କରିଛି। ସେହିଭଳି ଏହି କୋଠାର ଦ୍ବିତୀୟ ଓ ତୃତୀୟ ମହଲାରେ ଥିବା ୬ଟି ଘର ସହ ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ୍ କରାଯାଇଛି। ଏହି ମାମଲାରେ ଘରମାଲିକ ସଞ୍ଜୀବ ଦାସଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଞ୍ଜୀବଙ୍କୁ ପୁଲିସ ମାରାଥନ୍ ଜେରା କରିଛି। ସେ କେଉଁ ଉଦ୍ଦେଶ୍ୟରେ କିଙ୍ଗପିନ୍ ମଞ୍ଜୁ ସେଠୀଙ୍କୁ ଘରଭଡ଼ା ଦେଇଥିଲେ? କେବେଠାରୁ ଭଡ଼ାରେ ଦେଇଥିଲେ? କେବେଠାରୁ ସେକ୍ସ ରୢାକେଟ୍ ଚାଲିଥିଲା? ଏସବୁ ପ୍ରଶ୍ନର ଉତ୍ତର ସଞ୍ଜୀବ ଦେଇପାରି ନଥିଲେ। ପୁଲିସକୁ ଭୁଆଁ ବୁଲାଇବାକୁ ସଞ୍ଜୀବ ଚେଷ୍ଟା କରିଥିଲା।