ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲା କୋର୍ଟରେ ପହଞ୍ଚିଲା ପରେ ୪୪ ଜଣ ଓକିଲ ଏବେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ପୂର୍ବତନ ବିଜେଡ଼ି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ। ଏଥିପାଇଁ ସେମାନେ କୋର୍ଟରେ ୱାକାଲତନମା ଦାଖଲ କରିଛନ୍ତି। ଖାଲି ବିକ୍ରମ ପଣ୍ଡା ନୁହେଁ, ବରଂ ହତ୍ୟାକାଣ୍ଡରେ ସଂପୃକ୍ତ କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇ ପାଇଁ ଏହି ୪୪ ଓକିଲ ମାମଲା ଲଢ଼ିବେ। ଏମାନଙ୍କ ପାଇଁ ଜାମିନ ଆବେଦନ କରାଯିବ। ଯଦି ଜିଲ୍ଲା କୋର୍ଟରେ ବିକ୍ରମ ଓ ଅନ୍ୟ ମାନଙ୍କୁ ଜାମିନ ନ ମିଳେ ତା ହେଲେ ସେମାନେ ହାଇକୋର୍ଟକୁ ଯିବେ। ଏସବୁ ଭିତରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ପାଇଁ ୧୦୩, ହତ୍ୟା ଷଡଯନ୍ତ୍ର ପ୍ରମାଣ ନଷ୍ଟ କରିବା ପାଇଁ ୨୩୮, ଆର୍ମସ ଆକ୍ଟ ୨୫, ୨୭ ବି ଲାଗିଛି। ତେବେ ଏହି ହତ୍ୟାକାଣ୍ଡ ପାଇଁ ପୁରା ପ୍ଲାନ ରଚିଥିବା ଉମା ବିଷୋୟୀକୁ ଏ ଯାଏଁ ପୋଲିସ ଗିରଫ କରି ନ ଥିଲେ ମଧ୍ୟ ତାକୁ ଅତି ଶୀଘ୍ର ଗିରଫ କରିବାକୁ ପ୍ରାଣ ପଣେ ଲାଗି ପଡ଼ିଛି ପୋଲିସ। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ବିକ୍ରମଙ୍କ ଘନିଷ୍ଠ ବ୍ୟବସାୟଗତ ସହଯୋଗୀ ସୁଦର୍ଶନ ଜେନା ଗତକାଲି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ବି ବିଏନପୁର ଥାନାରେ ଦୀର୍ଘ ସମୟ ଜେରା ପରେ ପୋଲିସ ଛାଡି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଗିରଫ କରାଯାଇ ପାରେ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ ରାଜନୈତିକ ଷଡଯନ୍ତ୍ର ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରି ସରକାର ବିରୋଧରେ ଗଂଜାମରୁ ରାଜଧାନୀ ଯାଏଁ ଗର୍ଜନ କରିଛି ବିଜେଡି । ଯାହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ବିଜେଡ଼ି ରାସ୍ତାରେ ଚ୍ୟାଲେଞ୍ଜ ନକରି କୋର୍ଟ କୁ ଯାଉ। ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ପୋଲିସ ନିଷ୍ଠାପର ଭାବେ କରିଛି। ଯଦି ବିଜୁ ଜନତା ଦଳ ଭାବୁଛି ଯେ ତଦନ୍ତ ରେ ସାମଞ୍ଜସ୍ୟ ନାହିଁ ତାହାଲେ ସେମାନେ ଆଇନ୍ ଗତ ଦିଗରେ ଯାଇପାରିବେ। ତାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବା ଅପେକ୍ଷା ନ୍ୟାୟିକ ଦିଗକୁ ଯାନ୍ତୁ। ଏହା ନକରି ପୋଲିସ୍ କୁ ଦୋଷ ଦେବା ଉଚିତ୍ ନୂହେଁ ବୋଲି ମନ୍ତ୍ରୀ କହିଛନ୍ତି।