ଉପନିର୍ବାଚନ ପାଇଁ କମ୍ପିଲାଣି ନୂଆପଡ଼ା। ଜୋରଦାର ହେଉଛି ପ୍ରଚାର, ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ। ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି କେହି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ଏବେ ମୈଦାନରେ ହିଁ ୧୪ ପାର୍ଥି ରହିଛନ୍ତି, ତେବେ ସେମାଙ୍କ ମଧ୍ୟରୁ ଏବେ ତ୍ରିମୁଖୀ ଲଢ଼େଇ ହିଁ ଜୋରଦାର ହେଉଛି।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଅନେକ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା। ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମାଆ କଳ୍ପନା ଢୋଲକିଆ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଗଡ଼ ବଞ୍ଚାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଇବେ। ଲଢେଇ ପାଇଁ ନୂଆପଡାକୁ ଯୋଦ୍ଧା ପଠାଇସାରିଛନ୍ତି ବିଜେଡି ସୁପ୍ରିମୋ। ପୂର୍ବରୁ ୫୨ ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକଙ୍କୁ ନୂଆପଡା ନିର୍ବାଚନମଣ୍ଡଳୀ ଦାୟିତ୍ବ ଦେଇଥିଲେ । ଗତକାଲି ନୂଆପଡ଼ା ଉପନିର୍ବାଚନ ଆଉ ୩୪ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ । ବିଜେଡି ମହିଳା ମାନଙ୍କୁ ଏକାଠି କରି ପ୍ରଚାର ଚଳାଇଛି ।
ସେପଟେ କଂଗ୍ରେସ ବି ପ୍ରଚାରରେ ପଛରେ ପଡ଼ିନି। ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କଂଗ୍ରେସ। ଘାସିରାମ ମାଝୀଙ୍କ ପାଇଁ ନିଜେ ପିସିସି ସଭାପତି ଭକ୍ତ ଦାସ ୱାର୍ଡରୁ ୱାର୍ଡ, ପଡ଼ାରୁ ପଡ଼ା ବୁଲି ବୁଲି ପ୍ରଚାର କରୁଛନ୍ତି। ଘାସିରାମ ମାଝି ନୂଆପଡ଼ା ଅଞ୍ଚଳର ସ୍ଥାନୀୟ ଶିକ୍ଷା,ସ୍ୱାସ୍ଥ୍ୟ , ଚାଷୀ ସମସ୍ୟାକୁ ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଲଢେଇ କରିଆସୁଛନ୍ତି । ଆଗକୁ କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକମାନେ ଆସି ଜୋରଦାର କ୍ୟାମ୍ପେନ କରିବେ।
୨୦୨୪ ନିର୍ବାଚନ ପରେ ଏହା ସବୁ ଦଳ ପାଇଁ ଏସିଡ ଟେଷ୍ଟ। ନୂଆପଡ଼ାର ରାଜନୈତିକ ଇତିହାସକୁ ଦେଖିଲେ ଏଠି ଯେତେ ଥର ଉପନିର୍ବାଚନ ହୋଇଛି, ସବୁ କଂଗ୍ରେସ ଦଳ ସପକ୍ଷରେ ଯାଇଛି। ହେଲେ ଏଥର କାହା ସପକ୍ଷରେ ଯିବ, ରାଜନୀତି ବିଶ୍ଳେଷକମାନେ ବି ଏନେଇ କିଛି ସ୍ପଷ୍ଟ ପୂର୍ବାନୁମାନ କରିପାରୁନାହନ୍ତି। ବାପାଙ୍କ ଆଦର୍ଶକୁ ନେଇ ‘ପଦ୍ମ’ ଧରିଥିବା ଜୟ ଢୋଲକିଆଙ୍କ ଜୟ ହେବ ନା ଆଦିବାସୀ ନେତା ଘାସିରାମ ଏଥର ଗଣିତ ବିଗାଡ଼ିବେ? ଏପଟେ ମହିଳା କାର୍ଡ ଖେଳି ସେହ୍ନାଙ୍ଗିନୀକୁ ମଇଦାନକୁ ଛାଡ଼ିଥିବା ବିଜେଡିର ବିଜୟ ବାନା ଉଡ଼ିବ କି? ତାକୁ ନେଇ ଏବେ ଚାଲିଛି ଅଙ୍କକଷା।