ଭୁବନେଶ୍ୱର : ପ୍ରେମରେ ଧୋକା ଦେଇ ଗିରଫ ହେଲେ ଭୁବନେଶ୍ୱର ବିମାନବନ୍ଦରର ଡେପୁଟି ଜେନେରାଲ ମ୍ୟାନେଜର । ଏୟାର ହୋଷ୍ଟେସଙ୍କୁ ଲଭ୍-ସେକ୍ସ-ଧୋକା ଅଭିଯୋଗରେ ଏୟାରପୋର୍ଟ DGM ଉମାକାନ୍ତ ପଟେଲଙ୍କୁ ବାନ୍ଧିଲା ପୋଲିସ୍ ।
ଅଭିଯୋଗ ଅନୁଯାୟୀ ମିଛ କଥା କହି ଏୟାର ହୋଷ୍ଟେସଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ । ଏପରିକି ଏୟାର ହୋଷ୍ଟେସଙ୍କ ଗର୍ଭପାତ ମଧ୍ଯ କରାଇଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଆସିଛି। ଏଥି ସହ ଜଣା ପଡିଛି ଉମାକାନ୍ତ ପଟେଲ ବିବାହିତ ହୋଇ ମଧ୍ଯ ଏୟାର ହୋଷ୍ଟେସଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।
ପୋଲିସ କହିଛି ଯେ ଭାରତୀୟ ନ୍ୟାୟ ସଂହିତା (BNS)ର ବହୁ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଶନିବାର ଗିରଫ ହେବା ପରେ ପଟେଲଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ କାମ କରିବା ପରେ ପ୍ରାୟ ଚାରି ମାସ ପୂର୍ବରୁ ପଟେଲଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା। ଦିଲ୍ଲୀରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଏକ ଘରୋଇ ଏୟାରଲାଇନ୍ସରେ ନିଯୁକ୍ତି ପାଇଥିବା ଜଣେ ଏୟାର ହୋଷ୍ଟେସଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମିଛ କହି ସେ ନିଜକୁ ଅବିବାହିତ ବୋଲି ଦର୍ଶାଇଥିଲେ। ବିବାହର ପ୍ରଲୋଭନ ଦେଖାଇ ସେ ଉକ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ।
ପରବର୍ତ୍ତୀ ସମୟରେ ଯେତେବେଳେ ମହିଳା ଜଣକ ଗର୍ଭବତୀ ହେଲେ, ପଟେଲ ତାଙ୍କୁ ଧମକ ଦେଇଥିଲେ ଏବଂ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ଏୟାର ହୋଷ୍ଟେସ ଜଣକ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲେ। ପଟେଲ ମଧ୍ୟ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ ତାଙ୍କ ସହିତ ସମ୍ପର୍କ ଜାରି ରଖିଥିଲେ।
ତେବେ ମହିଳା ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ପଟେଲ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି। ସେତେବେଳେ ସେ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଉମାକାନ୍ତ ପଟେଲଙ୍କୁ ଗିରଫ କରାଯାଇଛି।