ସିଡନୀ: ରୋହିତ ଓ କୋହଲିଙ୍କ ଦମଦାର ବ୍ୟାଟିଂ। ଐତିହାସିକ ସିଡନୀ ଗ୍ରାଉଣ୍ଡରେ ଭାରତ ଧମାକାଦାର ବିଜୟ। ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି। ରୋହିତ ଶର୍ମା ୧୨୧ ରନ କରି ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ସହିତ ୭୪ ରନ କରି ଅପରାଜିତ ରହିଛନ୍ତି। ଭାରତ ସିଡନୀରେ ତୃତୀୟ ଦିନିକିଆ ଜିତିଥିଲେ ହେଁ ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତି ନେଇଛି। ଏହା ଶୁଭମନ ଗିଲଙ୍କୁ ଦିନିକିଆ ଅଧିନାୟକ ଭାବରେ ପ୍ରଥମ ବିଜୟ ମିଳିଛି।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା। କଙ୍ଗାରୁ ୫୦ ଓଭର ବି ଖେଳି ପାରି ନ ଥିଲଲା। ଦଳ ୪୪.୩ ଓଭରରେ ୨୩୬ ରନ କରିପାରିଥିଲେ। ମ୍ୟାଟ୍ ରେନଶ ସର୍ବାଧିକ ୫୬ ରନ କରିଥିବା ବେଳେ ମିଚେଲ୍ ମାର୍ଶ ୪୧ ରନ କରିଥିଲେ। ଭାରତ ପାଇଁ ହର୍ଷିତ ରାଣା ସର୍ବାଧିକ ଚାରି ୱିକେଟ ନେଇଛନ୍ତି। ଦିନିକିଆ ମ୍ୟାଚରେ ହର୍ଷିତଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ।
୨୩୭ ରନର ଟାର୍ଗେଟର ପିଛା କରିଥିବା ଟିମ୍ ଇଣ୍ଡିଆର ଦୁଇ ଓପରନ ରୋହିତ ଓ ଗିଲ୍ ୬୯ ରନ ଯୋଡ଼ିଥିଲେ। ଶୁଭମନ ଗିଲ ମାତ୍ର ୨୪ ରନ କରି ଆଉଟ ହୋଇଥିଲେ। ଏଥିସହ ଏହି ସିରିଜରେ ଗିଲ୍ ନିରାଶ କରିଛନ୍ତି। ତିନୋଟି ଇନିଂସରେ ମାତ୍ର ୪୩ ରନ କରିଛନ୍ତି। ଏହା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମିଶି ଭାରତକୁ ଆଗକୁ ବଢାଇଥିଲେ।
ଏହି କ୍ରମରେ ରୋହିତ ଓ କୋହଲି ଦମଦାର ବ୍ୟାଟିଂ କରିଥିଲେ। ଉଭୟ କଙ୍ଗାରୁ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଅଷ୍ଟ୍ରେଲିଆ ବୋଲର ଦୁଇ ତାରକା ଖେଳାଳିଙ୍କ ଆଗରେ ଅସହାୟ ନଜର ଆସିଥିଲେ। ଏହି କ୍ରମରେ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୩୩ତମ ଶତକ ପୂରଣ କରିଥିଲେ। ସେ ୧୦୫ ବଲରୁ ଏହି ଉପଲବ୍ଧି ହାସଲ କରିଥିଲେ। ଅନ୍ୟପଟେ କୋହଲି ମଧ୍ୟ ଦିନିକିଆ ଅନ୍ତର୍ଜାତୀୟରେ ୭୫ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୬୮ ରନର ଅପରାଜିତ ଭାଗୀଦାରି ଯୋଡ଼ି ଦଳକୁ ଜିତାଇଛନ୍ତି। ରୋହିତ ୧୨୫ ବଲରୁ ୧୩ ଚୌକା ଓ ୩ ଛକା ସହ ୧୨୧ ରନ ଓ କୋହଲି ୮୧ ବଲରୁ ୭ ଚୌକା ସହ ୭୪ ରନରେ ଅପରାଜିତ ଥିଲେ। ଭାରତ ୩୮.୩ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି।
ଶୁଭମାନ ଗିଲଙ୍କୁ ନୂତନ ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଥିଲା। ତାଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ୭ ୱିକେଟରେ ହାରିଥିଲା। ଆଡିଲେଡ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ସଂଘର୍ଷ କରି ୨ ୱିକେଟରେ ହାରିଥିଲା। ଅଧିନାୟକ ଭାବରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ, ଗିଲ୍ ଶେଷରେ ସିଡନୀରେ ନିଜର ବିଜୟ ଖାତା ଖୋଲିଛନ୍ତି।