ଆଡିଲେଡ: ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦୃଢ଼ ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଭାରତକୁ ୨ ୱିକେଟରେ ପରାସ୍ତ କରିଛି। ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟରେ ୨୬୪ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ୮ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି। ୧୭ ବର୍ଷ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଆଡିଲେଡରେ ଦିନିକିଆ ହାରିଛି।
ଶୁଭମନ ଗିଲଙ୍କ ଦିନିକିଆରେ ଅଧିନାୟକତ୍ୱ ଡେବ୍ୟୁ ସିରିଜ ପରାଜୟ ସହ ଆରମ୍ଭ ହୋଇଛି। ଅଧିନାୟକ ଭାବରେ ଗିଲ ତାଙ୍କର ପ୍ରଥମ ସିରିଜ ହାରିଛନ୍ତି। ଭାରତୀୟ ବୋଲର ୨୬୪ ରନ ବି ବଞ୍ଚାଇ ପାରି ନାହାନ୍ତି। ଫଳରେ ରୋହିତ ଶର୍ମା (୭୩ ରନ) ଏବଂ ଶ୍ରେୟସ ଆୟର (୬୧ ରନ)ଙ୍କ ଅର୍ଦ୍ଧଶତକ ବିଫଳ ହୋଇଛି।
୨୬୫ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ଥିଲା। ଅଧିନାୟକ ମିଚେଲ ମାର୍ଶ ୧୧ ଏବଂ ଟ୍ରାଭିସ୍ ହେଡ୍ ୨୮ ରନ୍ କରି ଆଉଟ୍ ହୋଇଥିଲେ। ଅନଭିଜ୍ଞ ମଧ୍ୟକ୍ରମକୁ ଦେଖିଲେ ଭାରତୀୟ ବୋଲର ଅଷ୍ଟ୍ରେଲିୟ ବ୍ୟାଟରଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦେବେ ନାହିଁ ବୋଲି ମନେ ହେଉଥିଲା। କିନ୍ତୁ ତୃତୀୟ ନମ୍ବର ମ୍ୟାଟ୍ ସର୍ଟ ଓ ମ୍ୟାଟ୍ ରେନଶା ସହିତ ପ୍ରଥମେ ତୃତୀୟ ୱିକେଟ୍ ପାଇଁ ୧୫୫ ରନର ଭାଗୀଦାରି କରି ଦଳର ସ୍ଥିତି ମଜବୁତ କରିଥିଲେ।
ତେବେ ରେନଶାଙ୍କ ଆଉଟ୍ ହେବା ପରେ, ଆଲେକ୍ସ କେରି ମଧ୍ୟ ମାତ୍ର ୯ ରନ୍ କରି ପାଭିଲିୟନ ଫେରିଥିଲେ। କଙ୍ଗାରୁ ୧୩୨ ରନରେ ଚାରି ୱିକେଟ୍ ହରାଇଥିଲେ। ଲାଗିଲା ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବ, କିନ୍ତୁ କୁପର୍ କନୋଲି ଦମଦାର ବ୍ୟାଟିଂ କରି ଭାରତୀୟ ଦଲର ଆଶାକୁ ଧୂଳିସାତ୍ କରିଥିଲେ। ସର୍ଟ ଦିନିକିଆ କ୍ରିକେଟରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୮ ବଲରୁ ୪ ଚୌକା ଏବଂ ଦୁଇଟି ଛକା ସହିତ ୭୪ ରନ କରିଥିଲେ।
ସର୍ଟଙ୍କ ଆଉଟ୍ ହେବା ଭାରତର ଆଶା ଉଜ୍ଜିବୀତ ହୋଇଥିଲା। କିନ୍ତୁ ମିଚେଲ ଓୱେନ୍ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୩ ବଲ୍ ରେ ଦୁଇଟି ଚୌକା ଏବଂ ତିନୋଟି ଛକା ମାରି ୩୬ ରନ୍ କରିଥିଲେ। କୁପର କନୋଲି ୫୩ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୬୧ ରନ କରିଥିଲେ। ସେ ଅପରାଜିତ ରହି ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Also read: ନା ରାଗ ଥିଲା, ନା ନିରାଶ... ଆଡିଲେଡରେ କୋହଲିଙ୍କ ଗୁଡବାଏରେ କଣ ରହିଛି ମେସେଜ୍ ?