ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଏହି ମ୍ୟାଚ୍ ଆଡିଲେଡରେ ଭାରତୀୟ ସମୟ ସକାଳ ୯ଟାରେ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ ପୁଣି ଥରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ସଭିଙ୍କ ନଜର ରହିବି । ଦ୍ୱିତୀୟ ମୁକାବିଲାରେ ଦୁଇ ତାରକା ଖେଳାଳି ଦମଦାର ପ୍ରଦର୍ଶନ କରି ଭାରତକୁ ସିରିଜରେ ପ୍ରତ୍ୟାବର୍ତ୍ତନ କରାଇବାକୁ ଚାହିଁବେ ।
ଯଶସ୍ୱୀ ଜୟସ୍ୱାଲଙ୍କ ପରି ପ୍ରତିଭାଶାଳୀ ଖେଳାଳି ବେଞ୍ଚରେ ବସିବା ରୋହିତ ଶର୍ମାଙ୍କ ଉପରେ ଭଲ ପ୍ରଦର୍ଶନ କରିବାକୁ ଚାପ ରହିବ । ପୂର୍ବତନ ଅଧିନାୟକ ମଧ୍ୟ ବେଶ ଭଲ ଭାବେ ଏହାକୁ ଜାଣିଛନ୍ତି । ତେଣୁ ଦ୍ୱିତୀୟ ଦିନିକିଆ ପୂର୍ବରୁ ଖୁବ୍ ଅଭ୍ୟାସ କରିଛନ୍ତି । ସେ ଆଡିଲେଡ ଓଭାଲ ମଇଦାନକୁ ୪୫ ମିନିଟ୍ ପୂର୍ବରୁ ପହଞ୍ଚି ଅଭ୍ୟାସ୍ କରିଥିଲେ । ଏହି ସମୟରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଥ୍ରୋ ଡାଉନ ବିଶେଷଜ୍ଞ ଦୟାନନ୍ଦ ଗରାନୀ ଓ ରାଘବେନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ । ବାକି କୋଚିଂ ଷ୍ଟାଫ କିଛି ସମୟ ପରେ ମଇଦାନକୁ ଆସିଥିଲେ ।
ବ୍ୟାଟିଂ କୋଚ୍ ସୀତାଂଶ କୋଟାକ କହିଛନ୍ତି, ରୋହିତ ଓ କୋହଲି ଅଭ୍ୟାସ ସେସନରେ ଭଲ ଲୟରେ ନଜରରେ ଆସିଥିଲେ । ଉଭୟ ନେଟରେ ଭଲ ବ୍ୟାଟିଂ କରିଛନ୍ତି । ଏଥିପାଇଁ ମୋତେ ଲାଗୁଛି ଦ୍ୱିତୀୟ ଦିନିକିଆରେ ଉଭୟ ସଫଳ ହେବେ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳକୁ ଅନୁଭୂତ ହୋଇଛି । ଫ୍ୱାଶିଂଟନ ସୁନ୍ଦର ଓ ନୀତିଶ ରେଡ୍ଡୀଙ୍କ ସହ ଆଠ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ କରିବା ଗମ୍ଭୀରଙ୍କ ରଣନୀତି କେତେ ସଫଳ ହେବ ତାହା ସିରିଜ ପରେ ଜଣା ପଡିବ ।
ଭାରତୀୟ ଦଳ ଟପ୍ ଅର୍ଡରରେ ବ୍ୟାଟିଂ ପାଇଁ ଗିଲ୍, ଶ୍ରେୟସଙ୍କ ପ୍ରଦର୍ଶନ ଉପରେ ବି ନିର୍ଭର କରିବ । କାରଣ ଗତ ମ୍ୟାଚରେ ଦୁଇ ଖେଳାଳି ଫେଲ୍ ମାରିଥିଲେ । ବୋଲିଂ ମଧ୍ୟ ପ୍ରଥମ ମ୍ୟାଚରେ ପ୍ରଭାବହୀନ ରହିଛି । କଣ ଦ୍ୱିତୀୟ ମ୍ୟାଚରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ମଧ୍ୟ ଦଳରେ ଅନୁଭୂତ ହୋଇଛି । ସବୁଠୁ ବଡ ପ୍ରଶ୍ନ ହର୍ଷିତ ରାଣାଙ୍କୁ ବସାଇ ପ୍ରସିଦ୍ଧ କୃଷ୍ଣଙ୍କୁ ସୁଯୋଗ ମିଳିବ କି ?
Also read: ଅଷ୍ଟ୍ରେଲିୟ କିମ୍ବଦନ୍ତୀ କ୍ରିକେଟ୍ର ମାଇକେଲ ହସିଙ୍କ ଆଶ୍ଚର୍ଯ୍ୟଜନକ ବୟାନ